ଜିଲା ପ୍ରଶାସନ ପକ୍ଷରୁ ବାଲି ଘାଟ ସୀମା ନିର୍ଦ୍ଧାରଣ
ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଓ ରସୁଲପୁର ତହସିଲ ଅଧିନସ୍ଥ କୋଠଡିହ ଓ ଲଙ୍କାବାଲିସାହିଠାରେ ବାହ୍ମଣୀ ନଦୀରୁ ବାଲି ଉତୋଳନ ନେଇ ସୀମା ବିବାଦ ଲାଗି ରହିଥିଲା । ଲିଜଧାରୀ ଧର୍ମଶାଳା ତହସିଲରୁ ବାଲି ଉଠାଇବା ଫଳରେ ଏହି ଅଂଚଳରେ ବାଲି ଉଠାଣକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଏହି ବିବାଦକୁ ନେଇ ଧର୍ମଶାଳା ତହସିଲ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତବାସୀ ଏହାକୁ ନେଇ ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ । ଗତ କାଲି ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର ଏହି ସ୍ଥାନରେ ସୀମା ନିଦ୍ଧାରଣ ପାଇଁ ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଆଜି ସକାଳେ ଏହି ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ଅମିନ ମାପଚୁପ କରିଥିଲେ । ରସୁଲପୁର ତହସିଲ ସାମନ୍ତରାପୁର ସର୍କଲ ଅଧିନସ୍ଥ ଲଙ୍କାବାଲିସାହି ଓ ଧର୍ମଶାଳା ତହସିଲ ବାଙ୍କସାହି ସର୍କଲ ଅଧିନସ୍ଥ କୋଠଡିହ ଆଦି ଅଂଚଳକୁ ମାପଚୁପ କରାଯାଇଥିଲା । ମାପଚୁପ ସରିବା ପରେ ପ୍ରଶାସନ ପକ୍ଷରୁ ଏହି ସବୁ ସ୍ଥାନରେ ଖୁଂଟି ପୋତି ଦିଆଯାଇଥିଲା । ରସୁଲପୁର ତହିସିଲ ଅଂଚଳରେ ବାଲି ଲିଜଧାରୀ ଧର୍ମଶାଳା ତହସିଲ ଅଧିନରେ ପ୍ରବେଶ ନ କରିବା ସହ ବାଲି ନ ଉଠାଇବାକୁ ଚେତାବନୀ ଦେଇଥିଲେ । ଲଙ୍କାବାଲିସାହିଠାରେ ଉଠୁଥିବା ବାଲି ଗାଡି ଗୁଡିକ ଲଙ୍କାବାଲିସାହି ରାସ୍ତା ଦେଇ ଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି ଧର୍ମଶାଳା ଅଂଚଳରୁ ବାଲି ଉଠା ଯାଏ ତେବେ ଲିଜଧାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ଚେତବାନି ଦିଆଯାଇଛି । ରସୁଲପୁର ତହସିଲଦାର ଡ. ନିରଞ୍ଜନ ସାହୁ,ଅତିରିକ୍ତ ତହସିଲଦାର ଶୁଭସ୍ମିତା ନାୟକ,ଧର୍ମଶାଳା ଅତିରିକ୍ତ ତହସିଲଦାର ,ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ,ଯାଜପୁର ସଦର ଥାନା ଅଧିକାରୀ ମାନସ ରଂଜନ ଚକ୍ର,ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ୍ ଦାଶରଥୀ ପାତ୍ର,ସାମନ୍ତରାପୁର ରାଜସ୍ୱ ନିରୀକ୍ଷକ ନୃସିଂହ ଚରଣ ବେହେରା,ବାଙ୍କସାହି ରାଜସ୍ୱ ନିରୀକ୍ଷିକା ରାମେଶ୍ୱରୀ ଜେନା ଓ ସରକାରୀ ଅମୀନ ହିତେଶ ସାମଲ ପ୍ରମୁଖ ବାଲି ଘାଟରେ ଉପସ୍ଥିତ ରହି ସୀମା ନିର୍ଦ୍ଧାରଣ କରିଥିଲେ । ମଙ୍ଗଳପୁର ସରପଂଚ ପ୍ରମୋଦ କୁମାର ଜେନାଙ୍କ ସମେତ ମଙ୍ଗଳପୁର ପଂଚାୟତର ମୁରବୀ ଓ ଲଙ୍କାବାଲିସାହି ଅଂଚଳର ମୁରବୀ ଓ ଲିଡଜଧାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଏହି ଅଂଚଳରେ ଯେଉଁ ସୀମା ବିବାଦ ଲାଗି ରହିଥିଲା ତାହା ଏବେ ସମାଧାନ ହୋଇଛି ।
