ମାର୍ଗଶୀର ଶେଷ ଗୁରୁବାର ! ଜାଣନ୍ତୁ ସମ୍ପୂର୍ଣ୍ଣ ପୂଜା ବିଧି, କେମିତି ମା’ଙ୍କୁ କରିବେ ଆବାହନ
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଝା ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ। ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ଏକଦା ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ସ୍ୱାମୀ ଜଗନ୍ନାଥଙ୍କ ଠାରୁ ଅନୁମତି ନେଇ ନଗର ପରିଭ୍ରମଣରେ ବାହାରି ଗଲେ। ବ୍ରାହ୍ମଣୀ ରୂପରେ ସେ ଘର ଘର ବୁଲିଲେ । ଅନେକ ସ୍ଥାନ ବୁଲିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା। ଲକ୍ଷ୍ମୀ ତାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ସେ କାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା। ଏହା ଦେଖି ପ୍ରଭୁ ବଳରାମ କୋପ ପ୍ରକାଶ କଲେ। ଲକ୍ଷ୍ମୀ ବଡ଼ ଦେଉଳକୁ ଜାତି ନହେଲେ ପଶିପାରିବ ନାହିଁ ବୋଲି ଜଗନ୍ନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା। ପରେ ଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଯାଇଥିଲେ। ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଇଥିଲେ। ପରେ ମାଆ ତାଳ ବେତାଳଙ୍କୁ ଡକାଇ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ। ଖାଇବାକୁ ନପାଇ ଦୁଇଭାଇ ଜଗନ୍ନାଥ ଓ ବଳଭଦ୍ର ବାର ଦୁଆର ହେଲେ। ଶେଷରେ ସୁମଦ୍ରକୂଳରେ ତୋଳିଥିବା ପ୍ରସାଦକୁ ଯାଇ ପହଞ୍ଚିଥିଲେ। ସେଠାରେ ଯାଇ କିଛି ଖାଇବାକୁ ଦିଅ ବୋଲି ମାଗିଥିଲେ। ପରେ ମା’ ଲକ୍ଷ୍ମୀଙ୍କର ଦାସୀମାନେ ଏଇଟା ଚଣ୍ଡାଳର ଘର ବୋଲି କହିଥିଲେ। ପରେ ଦୁଇ ଭାଇ ସେଠାରେ ଭୋଜନ କରିବାକୁ ମନା କରି ଦେଇଥିଲେ। ପରେ ସେମାନେ ନିଜେ ରୋଷେଇ କରି ଖାଇବାକୁ ଚିନ୍ତା କରିଥିଲେ। ଦାସୀମାନଙ୍କୁ କିଛି ଜିନିଷ ଦିଅ, ଆମେ ରୋଷେଇ କରି ଖାଇବୁ ବୋଲି କହିଥିଲେ। ଦାସୀମାନେ ରୋଷେଇ ପାଇଁ ସବୁ ଜିନିଷ ଆଣି ଦେଇଥିଲେ।
ପରେ ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ର ରୋଷେଇ କରିବାକୁ ପ୍ରସ୍ତୁତ ହୋଇଥିଲେ। ଅନ୍ୟ ପଟେ ମା’ ଲକ୍ଷ୍ମୀ ଅଗ୍ନି ଦେବତାଙ୍କୁ ସୁମରଣା କରି ନିଆଁ ନ ଜଳୁ, ଧୁଆଁ ହେଉ ବୋଲି ଆଜ୍ଞା ଦେଇଥିଲେ। ଅଗ୍ନି ଦେବତା ମା’ଙ୍କ ଆଜ୍ଞା ମାନିଥିଲେ। ଦୁଇ ଭାଇ ରୋଷେଇ କରିବାକୁ ନିଆଁ ଜଳାଇଥିଲେ ମଧ୍ୟ ତାହା ଲାଗି ନଥିଲା। ଖାଲି ଧୁଆଁ ହୋଇଥିଲା। ପରେ ଦୁଇ ଭାଇ ହାଣ୍ଡି ପିଟି ଭାଙ୍ଗି ମା’ଙ୍କ ପ୍ରସାଦକୁ ପୁଣି ଥରେ ଫେରି ଆସିଥିଲେ। ଆମକୁ ଭୋଜନ ଦିଅ ବୋଲି କହିଥିଲେ। ଲକ୍ଷ୍ମୀ ଏହା ଶୁଣି ପ୍ରଭୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିଥିଲେ। ଦୁଇ ଭାଇଙ୍କୁ ଭୋଜନ ପରସି ଦେବାକୁ ନିଜ ଦାସୀମାନଙ୍କୁ ଆଜ୍ଞା ଦେଇଥିଲେ। ଦୁଇ ଭାଇ ମହା ଆନନ୍ଦରେ ଭୋଜନ ଗ୍ରହଣ କରିଥିଲେ। ପରେ ମହାଲକ୍ଷ୍ମୀଙ୍କୁ ଭେଟି ଥିଲେ ଜଗନ୍ନାଥ। ଆମର ଭୁଲ ହୋଇଯାଇଛି ,ଆମକୁ କ୍ଷମା କର ବୋଲି ମାଲକ୍ଷ୍ମୀଙ୍କ ହାତ ଧରି କହିଥିଲେ। ବଡ଼ ଦେଉଳକୁ ଫେରିଯିବାକୁ ଅନୁରୋଧ କରିଥିଲେ। ମହାଲକ୍ଷ୍ମୀ ବଡ଼ ଦେଉଳ ଯିବାକୁ ପ୍ରଭୁଙ୍କ ନିକଟରେ ସର୍ତ୍ତ ରଖିଥିଲେ। ମୋ ବାରରେ ନଗ୍ର ବୁଲିବି ଓ ଏଥିରେ ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ସେ କହିଥିଲେ। ଜଗନ୍ନାଥ ମହାପ୍ରଭୁ ଏନେଇ ପ୍ରତିଶ୍ରୁତି ଦେବାପରେ ମହାଲକ୍ଷ୍ମୀ ବଡ଼ ଦେଉଳକୁ ଫେରିଥିଲେ।
ନାମକରଣ :
ମାଣ ବସାଇବାରୁ “ମାଣବସା” ନାମ ଆଧାରିତ । ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା ।
ଭୋଗ :
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ୩ ଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ । ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ମଧ୍ୟାହ୍ନ ଭୋଗପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପପରି ଭୋଗ ଲଗାଯାଇ ସଧ୍ୟା ପୂଜା କରାଯାଏ । ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।
ଆବାହାନ :
ପୁରାଣରେ ବର୍ଣ୍ଣିତ ଅଛି ମା’ଙ୍କର ଟିକେ କୃପା ମିଳିଲେ ଗରିବ ଧନୀ ହୋଇଯାଏ। ଏଥିପାଇ ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ କରିଥାନ୍ତି। ଏ ପୂଜାରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସବୁ ଓଡ଼ିଆଙ୍କ ଘରେ ଏ ପର୍ବ ପାଳନ କରାଯାଏ । ମାର୍ଗଶୀର ମାସ ମାଣବସା ଗୁରୁବାର ୪ ବା ୫ ପାଳି ପଡ଼ିଥାଏ। ପ୍ରତିପାଳିରେ ମା’ଙ୍କୁ ପୂଜା କରାଯାଇ ତାଙ୍କୁ ଆବାହାନ କରାଯାଇଥାଏ।
ମାଣବସା ଗୁରୁବାର ଓଷା ପୂର୍ବ ଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରିଥାନ୍ତି। ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଘରର ପ୍ରତ୍ୟେକ ଦୁଆର ଓ ଅଗଣା କାନ୍ଥ ଚାରିପାଖେ ଝୋଟିରେ ଲକ୍ଷ୍ମୀପାଦରେ ଆଙ୍କି ଥାନ୍ତି। ପରେ ମା’ ଲକ୍ଷ୍ମୀଙ୍କର ପୂଜା ଆରମ୍ଭ କରିଥାନ୍ତି। ହଳଦୀ ପାଣିରେ ଧୋଇ ରଖିଥିବା ମାଣକୁ ଖଟୁଲି ଉପରେ ରଖି ଧଳାଧାନ ଭରାଯାଇଥାଏ। ପରେ ତା’ ନିକଟରେ ଧାନର କେଣ୍ଡାକୁ ରଖାଯାଇଥାଏ। ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ। ସେଥିରେ ନାଲିଛିଟ, ସିନ୍ଦୁର ଓ ପାଟକନାରେ ଓଢଣୀ ଦେଇ ମା’ଙ୍କ ନବବଧୂ ରୁପରେ ସଜାଯାଇଥାଏ। ମାଣ ପାଖରେ ଗୁଆ, କଉଡି, ନଡ଼ିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା କଜ୍ଜଳ, ଆଖୁ, ମୂଳା ରଖାଯାଇଥାଏ। ପରେ ଫୁଲ ଓ ଚନ୍ଦନ ଧୂପଦୀପ ଓ ନୈବେଦ୍ୟ ଦିଆଯାଇ ମା’ଙ୍କୁ ଆବାହନ କରାଯାଇଥାଏ।
