ପିଏଲଜିଏ ସପ୍ତାହ ପାଳନ ପାଇଁ ଆନ୍ଧ୍ର ଓଡିଶା ବଡର ଡିଭିଜନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି
ମାଲକାନଗିରି : ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ଆନ୍ଧ୍ର ଓଡିଶା ବଡର ଡିଭିଜନର ମାଓନେତା ଗଣେଶ ପ୍ରେସ ବିଜ୍ଞପ୍ତିରେ ଏହି ସପ୍ତାହକୁ ଗାଁ ଗାଁରେ ମହାସମାରୋହରେ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଦିବସରେ ସହିଦଙ୍କ ସ୍ମୃତି ଚାରଣ କରାଯିବ ବୋଲି କୁହାଯାଇଛି!ସରକାରଙ୍କର ମାଓ ଦମନ ରଣନୀତି ସମାଧାନକୁ ପରାସ୍ତ କରିବା ସହ ଏଥିରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଛି । ସୀମାନ୍ତବର୍ତୀ ଗ୍ରାମରେ ମାଓ ପୋଷ୍ଟର ଏବଂ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରୁଛନ୍ତି । ଚଳିତ ଡିସେମ୍ବରରେ ପିଏଲଜିଏକୁ ୨୨ ବର୍ଷ ହେବାକୁ ଯାଉଥିବାରୁ ଏହାକୁ ମହାଆଡମ୍ବରରେ ପାଳନ କରିବାକୁ ସେଣ୍ଟ୍ରାଲ କମିଟି ତରଫରୁ କୁହାଯାଇଛି । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଗରିବ ମାରଣନୀତିକୁ ବିରୋଧ କରାଯିବା ସହ ପୁଞ୍ଜିପତି , କୋର୍ପୋରେଟରମାନଙ୍କ ଲାଭ ପାଇଁ ସରକାର ସବୁବେଳେ ତତ୍ପର ରହୁଥିବା କୁହାଯାଇଛି । ଗାଁରେ ହେଉଥିବା ଆଦିବାସୀ ଆନ୍ଦୋଳନକୁ ପୁଲିସ ଓ ସରକାର ମିଶି ସମାଧାନ ନାମରେ ଅତ୍ୟାଚାର ଏବଂ ନିର୍ଯାତନା ଦେଉଛନ୍ତି । ଏହି ପ୍ରେସ ବିଜ୍ଞପ୍ତିରେ ଦେଶର ବହୁ ସମସ୍ୟା ଉପରେ ଉଲ୍ଲେଖ କରାଯାଇଛି , ଯାହାକୁ ଜନ ଆନ୍ଦୋଳନରେ ହିଁ ହାସଲ କରାଯାଇପାରିବ ବୋଲି ମାଓନେତା କହିଛନ୍ତି । ପିଏଲଜିଏକୁ ନେଇ ମାଲକାନଗିରି ଏବଂ ପଡୋଶୀ ଛତିଶଗଡରେ ହାଇ ଆଲର୍ଟ ଜାରି କରାଯାଇଛି । ମାଓବାଦୀ ଙ୍କର କୌଣସି ଚାଲକୁ ସଫଳ କରିବାକୁ ଦେବେ ନାହିଁ ବୋଲି ପୁଲିସ ଏବେ ଠାରୁ ଗୁଇନ୍ଦାକୁ ସଜାଗ ରଖୁଛନ୍ତି । ତେଣୁ ଏହି ପିଏଲଜିଏରେ ମାଓବାଦୀ କଣ କରୁଛନ୍ତି ଦେଖିବାକୁ ବାକି ରହିଲା I
