ନୀଳଗିରିରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୋଲିବା ପାଇଁ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଦୀର୍ଘଦିନ ପରେ ନୀଳଗିରି ଭଳି ଗୋଟିଏ ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ସବୁଜ ସଙ୍କେତ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଭରି ଉଠିଛି ।
ସୂଚନା ନୀଳଗିରି ଗୋଟିଏ ଆଇଟିଡିଏ (ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା) ବ୍ଲକ । ବହୁ ଶିକ୍ଷିତ ବେକାର ଛାତ୍ରମାନଙ୍କ ପାଇଁ ବିଭିନ୍ନ କୌଶଳ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ତାଲିମ ଦେବା ପାଇଁ ଗୋଟିଏ ସରକାରୀ ଆଇଟିଆଇ ପ୍ରତିଷ୍ଠା କରିବାର ଆବଶ୍ୟକତା ଥିବାରୁ ନୀଳଗିରି ବିଧାୟକ ଇଂ. ନାୟକ ୨୯ ତାରିଖ ପ୍ରଶ୍ନ କାଳ ସମୟରେ ବିଧାନସଭାରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ନିଜ ଉତ୍ତରରେ ନୀଳଗିରି ବ୍ଲକରେ ଗୋଟିଏ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକୃତି ପ୍ରଦାନ କରିଥିବା କହିଥିଲେ । ଖୁବ୍ଶୀଘ୍ର ନୀଳଗିରି ଠାରେ ଏହି ସଂସ୍ଥା କାର୍ଯ୍ୟକାରୀ ହେବା ସହ ନୀଳଗିରି ଏନ୍ଏସି ଏବଂ ଏହାର ଆଖପାଖ ଅଞ୍ଚଳରେ ଛାତ୍ରମାନେ ଏଠାରେ ପାଠ ପଢ଼ିବାର ସୂଯୋଗ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଘଡ଼େଇ ପ୍ରକାଶ କରିଥିଲେ । ଏହି ପ୍ରଶ୍ନ ଉତ୍ତର ପରେ ନୀଳଗିରି ବିଧାୟକଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ ଜଣାଇଛନ୍ତି ।
