ଶୀତରେ ଥରୁଛି ସାରା ଓଡ଼ିଶା, ୩ରୁ ଆହୁରି ବଢ଼ିବ
ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ସେହିପରି ଆଜିଠାରୁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା କମ୍ । ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ। ଏଥିସହ ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡିିଶାରେ ବୁଧବାରରୁ ଶୁକ୍ରବାର ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିପାରେ । ସୋମବାର ରାତିରୁ ବୁଧବାର ରାତି ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୧.୫ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିପାରେ ବୋଲି ସେ କହିଛନ୍ତି । ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଏହି ସମୟରେ ଭାରୀ ଶୀତ ଅନୁଭୂତ ହୋଇପାରେ ବୋଲି ଡ.ପଶୁପାଳକ କହିଛନ୍ତି । ଏହି ସମୟରେ କୋବି, ଶିମ୍ବ ଓ ଡାଲିଜାତୀୟ ଫସଲରେ ଜଉ ପୋକ ଲାଗିବାର ଆଶଙ୍କା ରହିଛି । ସୋରିଷ ଓ ଗେଣ୍ଡୁରେ ପାଉଁଶିଆ ରୋଗ ହେବା ପାଇଁ ପାଗ ଅନୁକୂଳ ଅଛି ବୋଲି ସେ ସତର୍କ କରାଇଛନ୍ତି ।
କୋରାପୁଟର ସେମିଳିଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର । ଏଠାରେ ପାରଦ ୫.୬ ଡିଗ୍ରୀକୁ ଖସିଆସଛି । ସେହିପରି ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର । କନ୍ଧମାଳ ଜି. ଉଦୟଗିରିରେ ରାତି ତାପମାତ୍ରା ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୮.୫ ଡିଗ୍ରୀ, କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ର କିରେଇ ଓ କୋରାପୁଟରେ ୯.୫ ଡିଗ୍ରୀ, ସମ୍ବଲପୁର ଜିଲା ଚିପିଲିମାରେ ୯.୮ ଡିଗ୍ରୀ ଓ ଭବାନୀପାଟଣାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଝାରସୁଗୁଡାରେ ୧୧.୨, ହୀରାକୁଦରେ ୧୧.୯, ଦେବଗଡରେ ୧୨, ସୁନ୍ଦରଗଡରେ ୧୨, ଅନୁଗୁଳରେ ୧୨, ବଲାଙ୍ଗୀରରେ ୧୨.୮, ସୋନପୁରରେ ୧୩ ଓ ଦେବଗଡରେ ରାତି ତାପମାତ୍ରା ୧୨ଡିଗ୍ରୀ ଥିଲା । ଭୁବନେଶ୍ୱରରେ ୧୪ ଓ କଟକର ରାତି ତାପମାତ୍ରା ୧୫ଡିଗ୍ରୀ ଥିଲା । ଆଗକୁ ରାଜ୍ୟରେ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
