ଏଫଏମୟୁରେ ଜାତୀୟ ସେବା ଯୋଜନା ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ) ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ସମୀକ୍ଷା ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଅଧ୍ୟକ୍ଷତା କରି ମହାବିଦ୍ୟାଳୟସ୍ତରୀୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ଏନଏସଏସ ରାଜ୍ୟ ନୋଡ଼ାଲ ଅଫିସର ତଥା ଉପସଚିବ ଡ. ରମେଶ ଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ଏନଏସଏସ ପ୍ରଶିକ୍ଷଣ କେନ୍ଦ୍ରର ସହକାରୀ ତାଲିମ ସଂଯୋଜକ ଡ. ନୀରଦ ବରଣ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କର ଚରିତ୍ର ଓ ଭବିଷ୍ୟତ ଗଠନ ପାଇଁ ଏନଏସଏସ ଏକ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ । ଜାତୀୟ ସେବା ଯୋଜନା ଦ୍ୱାରା ଗୋଷ୍ଠୀ ସେବା ମାଧ୍ୟମରେ ଛାତ୍ରୀଛାତ୍ରୀମାନଙ୍କର ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ତଥା ଏଥି ନିମିତ୍ତ କାର୍ଯ୍ୟକ୍ରମ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ କୁଳସଚିବ କୁକୁମିନା ଦାସ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥି ଓ ପ୍ରୋଗ୍ରାମ ଅଫିସରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରୋଗ୍ରାମ ଅଫିସର ଡ. ପ୍ରତିମା ପ୍ରଧାନ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଭଦ୍ରକ ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବୈରଗଞ୍ଜନ ଦାଶ ଓ ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଜିଲା ବିବରଣୀ ଉପସ୍ଥାପନ କରିଥିଲେ । ଡ. ଆରୁଣୀ ମିଶ୍ର ଓ ଡ. ଲେଖାରାଣୀ ଦାସ ପଞ୍ଜିକରଣ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତାପସ କୁମାର ପାତ୍ର ଓ ପ୍ରଦୀପ କୁମାର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡ. ଅମ୍ବୁଜା ଲୋଚନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
