ପରଲୋକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁଙ୍କର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲରେ ବିଜୟ ସାହୁଙ୍କର ଚିକିତ୍ସା ଚାଲିଥଲା । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବିଜୟ । ତେବେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଜଟିଳତା ନେଇ ଗୁରୁତର ଥିଲେ ବିଜୟ । ପରେ ତାଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ବିଜୟ ସାହୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବିଜୟଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଠିକ୍ ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ବି ବିଜୟ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାଛଡ଼ା ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ.ବିଜୟ କୁମାର ସାହୁ ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କାର ଆଣିବା ଦିଗରେ ସର୍ବଦା ପ୍ରୟାସ ଜାରି ରଖିଥିଲେ। ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ମଧ୍ୟ କାର୍ଯ୍ୟ କରିଆସୁଥିଲେ। ରାଜ୍ୟରେ ଶିକ୍ଷାଦାନରେ ଉନ୍ନତି ଆଣିବାରେ ତାଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା।
