ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସୁଧାର ଦାବିରେ ଗଣଧାରଣା
ଡିସେମ୍ବରରେ ରାଜଧାନୀରେ ଆନ୍ଦୋଳନ ନିଷ୍ପତ୍ତି
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଦାବିରେ ବାଲେଶ୍ୱର ସରକାରୀ ମେଡ଼ିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଦୁଇଶହରୁ ଊର୍ଦ୍ଧ୍ୱ ଲୋକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଜିଲାର ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟସେବାର ପ୍ରତିକାର ଦାବିକରି ଏହି ଗଣଧାରଣାରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଗଣସଙ୍ଗଠନର ପ୍ରତିନିଧି, ନିର୍ବାଚିତ ଜନପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଯୋଗଦେଇ କ୍ରିୟାନୁଷ୍ଠାନ କମିଟିର ଦାବି ଓ ଆନ୍ଦୋଳନକୁ ସେମାନଙ୍କ ବକ୍ତବ୍ୟରେ ଦୃଢ଼ ସମର୍ଥନ ଜଣାଇଥିଲେ । ଧାରଣାସ୍ଥଳରୁ ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲାପାଳ ସୁଚାରୁ କୁମାର ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ।
ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ହୃଦ୍ରୋଗ, ସ୍ନାୟୁରୋଗ, ମୁତ୍ରାଶୟଜନିତ ଗୁରୁତର ରୋଗର ବିଭାଗ କାର୍ଯ୍ୟକ୍ଷମ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବା, ଜିଲାରେ ଖାଲିପଡ଼ିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରିବା, ମଞ୍ଜୁରୀପ୍ରାପ୍ତ ଆୟୁଷ ହସପିଟାଲ୍, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ୍ ପ୍ରତିଷ୍ଠା କରିବା, ଏମ୍ସର ବହିର୍ବିଭାଗକୁ ସପ୍ତାହବ୍ୟାପୀ କାର୍ଯ୍ୟକାରୀ କରି ସମସ୍ତ ପ୍ରକାର ରୋଗ ନିରୂପଣ ଯନ୍ତ୍ର ପ୍ରତିଷ୍ଠା କରିବାପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ଦାବିପୂରଣ ନହେଲେ ଆସନ୍ତା ଡିସେମ୍ବର ମାସରେ ରାଜଧାନୀରେ ଲଗାତର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଗତ ୨୫ ତାରିଖ ଠାରୁ ଫକୀରମୋହନଙ୍କ ସାଧନାପୀଠ ଶାନ୍ତିକାନନରୁ ୧୫ ଜଣିଆ ପ୍ରତିନିଧି ଦଳ ଜିଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତକୁ ପରିକ୍ରମା କରି ସ୍ୱାସ୍ଥ୍ୟସେବା ପାଇବାର ମୌଳିକ ଅଧିକାର ସଂପର୍କରେ ଜନସଚେତନତା ଯାତ୍ରା ଶେଷ କରି ଗଣଧାରଣା ସ୍ଥଳରେ ପହଞ୍ôଚଥିଲେ । ଅଭିଯାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ଗଣଧାରଣା ଆରମ୍ଭ ହୋଇଥିଲା । ଧାରଣାସ୍ଥଳରେ ମହାତ୍ମାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ବେଣୁଧର ବାରିକ ଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଜେନା ବକ୍ତବ୍ୟ ପ୍ରଦାନ କରିଥିଲେ । ଗଣଧାରଣାସ୍ଥଳରେ ସାଧାରଣ ସଭାରେ କ୍ରିୟାନୁଷ୍ଠାନ କମିଟିର ସଭାନେତ୍ରୀ ମମତା ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଉପସଭାପତି ପ୍ରଭାକର ସାହୁ, ନିରଞ୍ଜନ ରାଉତ ଓ ଦୀନବନ୍ଧୁ ଲେଙ୍କା ସଭା ପରିଚାଳନାରେ ସହାୟତା କରିଥିଲେ । ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଗତ ୨୦୦୫ ମସିହାରୁ ସରକାରୀ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କ ଐକ୍ୟ ଓ ସଂଗ୍ରାମକୁ ସ୍ମରଣ କରି ଗତ ୩ଦିନବ୍ୟାପୀ ଜିଲା ପରିକ୍ରମାରେ ବିଭିନ୍ନ ସ୍ଥାନରେ ଜନସମର୍ଥନକୁ କୃତଜ୍ଞତା ଜଣାଇଥିଲେ । ବିଭିନ୍ନ ବ୍ଲକ୍ ଓ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମଲ ଚକ୍ରବର୍ତ୍ତୀ, କୁମୁଦ ରଞ୍ଜନ ଗିରି, ନାରାୟଣ ପ୍ରସାଦ ସାହୁ, ବିଧାନ ଚନ୍ଦ୍ର ରାୟ, ସରସ୍ୱତୀ ପଣ୍ଡା, ଶ୍ୟାମସୁନ୍ଦର ଜେନା, ରବୀନ୍ଦ୍ର ପ୍ରହରାଜ, ଯତୀନ୍ଦ୍ର ମହାନ୍ତି, ମିନତୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ଜେନା, ପର୍ଶୁରାମ ବେହେରା, ତରୁଣ ଦାସ, ଡା. ହିମାଂଶୁ ଶେଖର ଦାସ, ଭୁବନେଶ୍ୱର କମିଟିର ସହସମ୍ପାଦକ ନିଆସି ଦାସ, ଅନୁସୂୟା ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଶତ୍ରୁଘ୍ନ ମଲ୍ଲିକ, ନିରଞ୍ଜନ ବେହେରା, ଜଳଧର ପଣ୍ଡା, ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓକିଲ ସଂଘର ସଭାପତି ମନୋଜ ନାୟକ, ରାଧାକୃଷ୍ଣ ଜେନା, ବନ୍ଦନା ପାଲ୍, ସରପଞ୍ଚ ଦିଲ୍ଲୀପ କୁମାର କମିଳାଙ୍କ ସମେତ ଜିଲା କମିଟି ପକ୍ଷରୁ ଉପଦେଷ୍ଟା ସୁବ୍ରତ କର, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଇଂ. ବନମାଳୀ ନାୟକ, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତିଶ୍ୱର ଦାଶ, କ୍ରିଷ୍ଣା ସାହା, ରମେଶ ଚନ୍ଦ୍ର ଜେନା, ଜତିନ୍ ପାତ୍ର, ସୀତାରାମ ପ୍ରଧାନ, ଇଂ. ହୃଷିକେଶ ସାହୁ, ତପନ୍ ସିଟ୍ ଓ ରୁବି ପରିଡ଼ା ଯୋଗଦେଇ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ରୋଗୀସେବାର କରୁଣ ଦୃଶ୍ୟ ଓ ଘଟଣାମାନ ଉପସ୍ଥାପିତ କରି ଜନସାଧାରଣଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଗୌରାଙ୍ଗ ପାଣିଗ୍ରାହୀ ଉପସ୍ଥିତମାନଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱାଗତ ଜଣାଇଥିବାବେଳେ ଶେଷରେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ।
