ଘରେ ପୁରାଇଲେନି ଶାଶୂଘର ଲୋକେ, ଥାନାର ଦ୍ୱାରସ୍ଥ ହେଲେ ନବ ବିବାହିତା
ରାଉରକେଲା : ରାଉରକେଲାରେ ୨ବର୍ଷ ତଳେ ବିବାହ କରିଥିବା କେନ୍ଦ୍ରାପଡା ଅଂଚଳର ଝିଅ ଆଜି ପ୍ରାୟ ଦେଢ ବର୍ଷ ପରେ ନିଜ ମା ମାଉସି ଓ ବଡ ଭଉଣୀଙ୍କ ସହ ନିଜ ଶାଶୂଘରକୁ ଆସିବାରୁ ତାଙ୍କୁ ଘରେ ପୁରାଇ ଦିଆଗଲା ନାହିଁ । କଥା ମହିଳା ଥାନାକୁ ଯିବା ପରେ ଝିଅଟିର ସ୍ୱାମୀ ୧୫ ଦିନ ସମୟ ମାଗିବାରୁ ପୁଣି ଝିଅଟି ତାର ପରିବାର ବର୍ଗଙ୍କ ସହ ନିଜ ବାପଘର କେନ୍ଦ୍ରାପଡାକୁ ଫେରିଯାଇଥିବା ଖବର ଆଜି ସାରନଗରୀ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ, ୨୦୨୦ ମସିହାରେ ସାରନଗରୀ ଅଂଚଳର ଜି.ଏନ. ମଲ୍ଲିକଙ୍କ ସରକାରୀ ଚାକିରୀଆ ପୁଅ ସତ୍ୟପ୍ରିୟ ମଲ୍ଲିକ ବିବାହ କରିଥିଲେ କେନ୍ଦ୍ରାପଡା ଅଂଚଳର ପ୍ରମିଳା ମଲ୍ଲିକଙ୍କ ସାନ ଝିଅଙ୍କୁ । ଉଭୟ ପରିବାରର ଦୂର ସଂପର୍କ ମଧ୍ୟ ରହିଛି । ତେବେ ବିବାହର ୬/୭ ମାସ ଭିତରେ କେତେକ କାରଣ ଯୋଗୁ ଝିଅଟି ଶାଶୁ ଘରେ ନରହି ତାର ବାପ ଘରକୁ ଚାଲିଯାଇଥିଲା । ତେବେ ସେ କେଉଁ କାରଣ ଲାଗି ଚାଲିଗଲା ସେ ବିଷୟର ସମାଧାନ ହୋଇ ପାରିନଥିବା ବେଳେ ଏହି ସ୍ୱାମୀ ସ୍ତ୍ରୀ ପ୍ରାୟ ଦେଢ ବର୍ଷ ହେବ ଅଲଗା ହୋଇ ରହିବା ପରେ ଆଜି ସକାଳୁ ଝିଅଟି ନିଜ ପରିବାର ଲୋକଙ୍କୁ ଧରି ନିଜ ସ୍ୱାମୀଙ୍କ ସାରନଗରୀ ସ୍ଥିତ ଘରକୁ ଆସିବାରୁ ତାଙ୍କୁ ଘରକୁ ପୁରାଇ ଦିଆଯାଇନଥିଲା । ପରେ ସେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ମହିଳା ଥାନା ଅଧିକାରୀ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ସହ ଝିଅ ପୁଅଙ୍କୁ ମଧ୍ୟ ଏକାକି ଆଲୋଚନା ଲାଗି ଛାଡିଥିଲେ । ଉଭୟ ପରସ୍ପରକୁ ଦୋଷ ଦେଉଥିଲେ ମଧ୍ୟ ଝିଅଟି ତାର ସ୍ୱାମୀଙ୍କ ସହ ରହିବାକୁ ଚାହୁଁଥିବା କଥା ତାର ବଡ ଭଉଣୀ କହିଛନ୍ତି । ତେବେ ଦୀର୍ଘ ସମୟ ଆଲୋଚନା ପରେ କୌଣସି ବାଟ ନବାହାରିବାରୁ ସ୍ୱାମୀ ସତ୍ୟପ୍ରିୟ ଏହାର ସମାଧାନ ଲାଗି ୧୫ ଦିନ ସମୟ ମାଗିବାରୁ ପୁଲିସି ଉଭୟ ପକ୍ଷଙ୍କ ସହମତିରେ ୧୫ ଦିନ ସମୟ ଦେଇ ସମସ୍ତଙ୍କୁ ଛାଡିଥିବା ଜଣାପଡିଛି ।
