ଆନ୍ଦୋଳନରତ ଓଡ଼ିଶା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀ ଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ସୁପ୍ରିମ୍କୋର୍ଟର ଆଇନଜୀବୀ ନିରଞ୍ଜନ ସାହୁ କହିଛନ୍ତି, ଆନ୍ଦୋଳନ ବନ୍ଦ କରିବାକୁ କହିବା ସତ୍ୱେ ବିଭିନ୍ନ ଜିଲ୍ଲାରେ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଇନଜୀବୀମାନେ କୋର୍ଟ ଘେରାଉ, କୋର୍ଟ ଆଗରେ ଧାରଣା, ଜଜ୍ଙ୍କୁ ରୋକିବା, ଲୋକଙ୍କ ପ୍ରବେଶକୁ ବିରୋଧ ପ୍ରଭୃତି କରୁଥିବା ଜଣାପଡ଼ିଛି । ତେଣୁ ଏଭଳି ଆନ୍ଦୋଳନ ଜାରି ରଖିଥିବା ଓକିଲଙ୍କ ଓକିଲାତିନାମା ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପର୍ଯ୍ୟନ୍ତ ଏହି ଓକିଲମାନେ କାମରେ ଯୋଗ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ବାତିଲ ହେବ । କାମରେ ଯୋଗଦେବା ପରେ ସେମାନଙ୍କ ଓକିଲାତି ନାମା ଲାଇସେନ୍ସ ସସ୍ପେଣ୍ଡ ଉପରେ ଲାଗିଥିବା ନିର୍ଦ୍ଦେଶ ଉଠିଯିବ । ଏଥିସହ ସୁପ୍ରିମ୍କୋର୍ଟରେ ଶୁଣାଣି କରୁଥିବା ବେଂଚ କହିଛନ୍ତି ଯେ, ସବୁ ଜିଲ୍ଲାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ସମ୍ଭବ ନୁହେଁ । ଏହାକୁ ନେଇ ଲମ୍ବା ସମୟ ଧରି ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟରେ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଛି । ବିହାର ଭଳି ବଡ଼ ରାଜ୍ୟର ପାଟଣା ଠାରେ ଗୋଟିଏ ହାଇକୋର୍ଟରେ ବିଚାର ପ୍ରକ୍ରିୟା ଚାଲିପାରୁଛି ବୋଲି ଶୁଣାଣି ବେଳେ ବିଚାରପତି ଉଦାହରଣ ଦେଇ କହିଥିଲେ ।
ଜଷ୍ଟିସ୍ କୌଲ ଆହୁରି ମଧ୍ୟ କହିଛନ୍ତି ଯେ, “ବାର ଆସୋସିଏସନଗୁଡ଼ିକୁ ଆମେ ପୂର୍ବରୁ ବି ସତର୍କ କରାଇଦେଇଥିଲୁ ଯେ ଯଦି ଆଇନ ପେସାର ଗରିମା ରକ୍ଷା ପାଇଁ ସେମାନେ ଉପଯୁକ୍ତ ଆଚରଣ ନ କରନ୍ତି, ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇଦିଆଯିବ । ଆଇନର ଗରିମା ରକ୍ଷା ଓ କୋର୍ଟଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ଆମେ ଏବେ ଯାହା ନିର୍ଦ୍ଦେଶ ଦେଉଛୁ, ତାହା କରିବାକୁ ସେମାନଙ୍କ ଆଚରଣ ଆମକୁ ବାଧ୍ୟ କରିଛି ।
