ଝାଲପଡା ଗ୍ରାମ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ, ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନି
ଧର୍ମଶାଳା : ସରକାର ଗ୍ରାମାଚଂଳର ମୁଖ୍ୟ ରାସ୍ତାର ଉନ୍ନତିକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରୁଛନ୍ତି । ହେଲେ ଏହା ବାସ୍ତବରେ କାର୍ଯ୍ୟରେ ପରିଣତ ହେଉ ନ ଥିବା ଅଭିଯୋଗ ହୋଇଛି । ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ଝାଲପଡା ପଂଚାୟତରେ । ଏହି ପଂଚାୟତ ମୁଖ୍ୟ ରାସ୍ତା ହେଉଛି ବ୍ରାହ୍ମଣୀ ନଦୀ ବନ୍ଧ । ଏହି ରାସ୍ତା ଦେଇ ଝାଲପଡା ପଂଚାୟତ ସହ ରୁଦ୍ରପୁର ପଂଚାୟତର ୨୫ରୁ ଉର୍ଦ୍ଧ ଗ୍ରାମର ଜନସାଧାରଣ ଯାତାୟତ କରିଥାନ୍ତି । ଏହି ନଦୀ ବନ୍ଧ ରାସ୍ତା ୨ ବର୍ଷ ତଳେ ମରାମତି କାର୍ଯ୍ୟ ହୋଇଥିଲା । ମରାମତି ସମୟରେ ଠିକାଦାର ଅତି ନିମ୍ନମାନର କାର୍ଯ୍ୟ କରି ସାରି ଦେଇଥିଲେ । ଫଳରେ କିଛି ଦିନ ପରେ ଏହି ରାସ୍ତା ଖାଲଖମାରେ ପରିଣତ ହେଲାଣି । ମରାମତି ସମୟରେ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି ଏହି କଥାକୁ ଗୁରୁତ୍ୱ ଦେଇ ନ ଥିଲେ । ଫଳରେ ଏବେ ରାସ୍ତାରେ ଯାତାୟତ ସମୟରେ ରୋଗୀମାନଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜିର ରହିଛି । ଏହି ରାସ୍ତା କାର୍ଯ୍ୟ ପୁନଃ ମରାମତି ପାଇଁ ବହୁବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।
