ପର୍ଯ୍ୟଟନ ଋତୁର ସ୍ପର୍ଶରେ ଚଳଚଞ୍ଚଳ ଡଗରା ବେଳାଭୂମି, ପର୍ଯ୍ୟଟକଙ୍କ ଲାଗିଲା ଭିଡ଼
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପହିଲି ପର୍ଯ୍ୟଟନ ଋତୁର ସ୍ପର୍ଶରେ ଚଳ ଚଞ୍ଚଳ ହୋଇ ଉଠିଲାଣି । ନିଜର ଆକର୍ଷଣ ଶକ୍ତି ବଳରେ ନିଜ ଆଡକୁ ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ । ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମିର ନୀଳ ଜଳ ରାଶିକୁ ପହିଲି ଶୀତୁଆ ସକାଳର ସୁନେଲି ସୂର୍ଯ୍ୟ କିରଣ ପର୍ଯ୍ୟଟକ ମାନଙ୍କୁ ବିମୋହିତ କରୁଛି । ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲରେ ଭଳିକି ଭଳିି ଭାଷାବାସୀଙ୍କ ସହିତ ନିଆରା ଖାଦ୍ୟ ଓ ଭିନ୍ନ ଭିନ୍ନ ଭାଷାର ସଙ୍ଗୀତର ତାଳେ ତାଳେ ଯୁବତୀଯୁବକଙ୍କ ନୃତ୍ୟ ବେଳା ଭୂମୀର ଆକର୍ଷଣକୁ ଦ୍ୱିଗୁଣିତ କରୁଛି ।
ଦୂର ଦୁରାନ୍ତର ପର୍ଯ୍ୟଟକ ବେଳାଭୂମିର ଚାରିଚକିଆ ଯାନ ଡ୍ରାଇଭ କରି ମଜା ନେଉଛନ୍ତି । ଏହିସବୁର ଭରପୁର ମଜା ନେବା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଶହ ଶହ ପର୍ଯ୍ୟଟକ ମନ୍ତ୍ର ମୁଗ୍ଧ ପରି ବେଳାଭୂମିକୁ ଆସିବାକୁ ଆରମ୍ଭ କଲେଣି । ଏମାନଙ୍କୁ ଦେଖି ସ୍ଥାନୀୟ ଦୋକାନୀ ମାନେ ବିଭିନ୍ନ ପ୍ରକାରର ଘରକରଣା ଜିନିଷ ଏବଂ ବିଭିନ୍ନ ପ୍ରକାରର ଖେଳନା କଣ୍ଢେଇ ଦୋକାନ ଦେବା ସହିତ ରୋଷେଇ ଉପକରଣ ସାମଗ୍ରୀ ଭଡ଼ାରେ ମିଳୁଥିବାରୁ ଭୋଜି ସହିତ ବେଳାଭୂମିରେ ବେଶ ମଜା ନେଉଛନ୍ତି ପର୍ଯ୍ୟଟମାନେ । ଏଥିସହିତ ବିସ୍ତୀର୍ଣ୍ଣ ଝାଉଁ ବଣର ମନମତାଣିଆ ଦୃଶ୍ୟ, ପ୍ରକୃତିର ମନୋରମ ପରିବେଶ ସାଙ୍ଗକୁ ବିସ୍ତୀର୍ଣ୍ଣ ବେଳା ଭୂମିରେ ବୁଲି ବୁଲି ସେଲଫି ଉଠାଇବାର ମଜା ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି ।
ଏହା ଛଡ଼ା ବର୍ଷରେ ତିନିଥର ସାମୁହିକ ମେଳା ପର୍ଯ୍ୟଟକଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ । ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ ଏବଂ ବେଳାଭୂମି ମହୋତ୍ସବରେ ପ୍ରକୃତିର ତାଳେ ତାଳେ ଖୋଲା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ କାହିଁ କେତେ ରାଜ୍ୟରୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ମାତ୍ର ରାଜ୍ୟର ଅନ୍ୟ ବେଳାଭୂମି ପରି ଏହାର ବିକାଶ ହୋଇପାରି ନାହିଁ କି ଏହାର ଉନ୍ନତି କରଣ ପାଇଁ ସରକାରୀ ସ୍ତରରେ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ରାସ୍ତାର ସମ୍ପ୍ରସାରଣ, ବେଳା ଭୂମିର ଆଲୋକୀ କରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ଼, ସୁରକ୍ଷା ପାଇଁ ପାୱାର ବୋଟ, ରାତ୍ରି ରହଣି ପାଇଁ ପର୍ଯ୍ୟାପ୍ତ ପରିମାଣର ପାନ୍ଥ ଶାଳାର ଆବଶ୍ୟକ ରହିଛି । ଯଦି ସରକାର ବେଳାଭୂମିର ଉନ୍ନତି ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତେ ତେବେ ଡଗରା ବେଳା ଭୂମି ବାଲିଆପାଳ ଅଞ୍ଚଳର ଆୟର ମାଧ୍ୟମ ହେବା ସହିତ ଏହା ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ରୂପରେ ପରିଗଣିତ ହୋଇ ପାରନ୍ତା ବୋଲି ବାଲିଆପାଳର ବୁଦ୍ଧିଜୀବୀ ମାନେ କହନ୍ତି ।
