୨୦୨୩ରୁ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା !
ପୁରୀ : ଆସନ୍ତା ୨୦୨୩ରୁ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ଚଳିତବର୍ଷ ଏ ନେଇ ୟୁନେସ୍କୋକୁ ପଠାଯିବ ସମ୍ପୂର୍ଣ୍ଣ ଚିଠା । ୟୁନେସ୍କୋରେ ନାମାଙ୍କନ ଦାଖଲ କରିବା ପାଇଁ ଚିଠା ପ୍ରସ୍ତୁତ ନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ୫ଜଣ ସେବାୟତ ପ୍ରତିନିଧିଙ୍କ ଓ ୨ଜଣ ମଠାଧୀଶଙ୍କୁ ନେଇ ଗଠନ କରାଯିବ ପରାମର୍ଶ କମିଟି । ତେବେ ରଥଯାତ୍ରାକୁ ଇଂଟରନ୍ୟାସନାଲ ହେରିଟେଜ୍ ମାନ୍ୟତା ମିଳିବା ପାଇଁ ଗତବର୍ଷ ଠାରୁ ତଥ୍ୟ ଓ ପ୍ରମାଣ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ସେପଟେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଓ ସଂସ୍କୃତି ଗବେଷକ ।
ସୂଚନା ଯେ, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋ ତାଲିକାରେ ରଥଯାତ୍ରା ରହିବା ନେଇ ଗତବର୍ଷ ଚିଠି ଦିଆଯାଇଥିଲା । ପୁରୀ ଜିଲା ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗରେ ୟୁନେସ୍କୋକୁ ଚିଠି ଲେଖିଥିଲେ । ଆଉ ୨୦୨୩ ବର୍ଷର ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ।
