ସୁପ୍ରିମକୋର୍ଟରେସମ୍ବିଧାନ ଦିବସ ସମାରୋହ-୨୦୨୨ ! ପ୍ରଧାନମନ୍ତ୍ରୀ ଲଞ୍ଚ କଲେ ଭର୍ଚୁଆଲ ଜଷ୍ଟିସ କ୍ଲକ୍, ଜଷ୍ଟିସ ମୋବାଇଲ ଆପ୍, ଡିଜିଟାଲ କୋର୍ଟ ଓ ଜିଲା କୋର୍ଟର ୱେବସାଇଟ
ନୂଆଦିଲ୍ଲୀ: ଆଜି ଅଷ୍ଟମ ସମ୍ବିଧାନ ଦିବସ। ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ଭାରତୀୟ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ। ଆଜି ସୁପ୍ରିମକୋର୍ଟ ପରିସରରେ ସମ୍ବିଧାନ ଦିବସ ସମାରୋହ-୨୦୨୨ ପାଳିତ ହୋଇଯାଇଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ, ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଅନ୍ୟମାନେ ଉପସ୍ଥିତ ରହି ନିଜ ଅଭିଭାଷଣ ରଖିଛନ୍ତି।
ଆଜି ସମ୍ବିଧାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇ-କୋର୍ଟ ଅଧିନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ, ଭର୍ଚୁଆଲ ଜଷ୍ଟିସ କ୍ଲକ୍, ଜଷ୍ଟିସ ମୋବାଇଲ ଆପ୍ , ଡିଜିଟାଲ କୋର୍ଟ, ଜିଲା କୋର୍ଟର S3WaaS ୱେବସାଇଟର ଲୋକାର୍ପଣ କରିଛନ୍ତି।
୧୯୪୯ ମସିହାର ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ସମ୍ବିଧାନସଭା ଗ୍ରହଣ କରିଥିଲା। ଏହା ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ନୂଆ ସମ୍ବିଧାନକୁ ଲାଗୁ କରାଯାଇଥିଲା। ତେଣୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଏବଂ ଜାନୁଆରୀ ୨୬କୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି। ୨୦୧୫ ମସିହାରୁ ଭାରତରେ ସମ୍ବିଧାନ ଦିବସ ପାଳନ ହୋଇ ଆସୁଅଛି। ୨୦୧୫ ବର୍ଷ ଥିଲା ‘ଭାରତୀୟ ସମ୍ବିଧାନର ଜନକ’ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୨୫ତମ ଜନ୍ମ ବାର୍ଷିକ। ଏହି ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ବର୍ଷଠାରୁ ନଭେମ୍ବର ୨୬ ତାରିଖକୁ ଭାରତୀୟ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ।
ଆପଣ ଜାଣିଛନ୍ତି କି, ଭାରତୀୟ ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ପାଇଁ ୨ ବର୍ଷ, ୧୧ ମାସ ୧୮ ଦିନ ସମୟ ଲାଗିଥିଲା। ଏହାକୁ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲେଖା ଯାଇଥିଲା। ଏହା ହେଉଛି ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ। ୧୯୫୦ ମସିହା ଜାନୁଆରୀ ୨୪ ତାରିଖରେ ସମ୍ବିଧାନର ସଭାର ୨୮୪ ସଦସ୍ୟ ସମ୍ବିଧାନରେ ହସ୍ତାକ୍ଷର କରିଥିଲେ। ଏହାର ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୬ ତାରିଖରେ ସମଗ୍ର ଦେଶରେ ଏହାକୁ ପ୍ରଣୟନ କରାଯାଇଥିଲା।
ମୂଳ ରୂପରେ ସମ୍ବିଧାନରେ ମୋଟ ୩୯୫ଟି ଅନୁଚ୍ଛେଦ (୨୨ଟି ଭାଗ) ଓ ୫ଟି କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ଗତ ୭୨ ବର୍ଷ ମଧ୍ୟରେ ବିଭିନ୍ନ ସଂଶୋଧନ କରାଯାଇ ବର୍ତ୍ତମାନ ଭାରତୀୟ ସମ୍ବିଧାନରେ ୪୪୮ ଅନୁଚ୍ଛେଦ, ୨୫ ଭାଗ ଏବଂ ୧୨ କାର୍ଯ୍ୟସୂଚୀ ରହିଛି। ୧୦ ଅଗଷ୍ଟ ୨୦୨୧ ସୁଦ୍ଧା ସମ୍ବିଧାନରେ ମୋଟ ୧୦୫ ଥର ସଂଶୋଧନ କରାଯାଇଛି। ଆମ ସମ୍ବିଧାନର ତୃତୀୟ ଭାଗରେ ନାଗରିକଙ୍କ ମୌଳିକ ଅଧିକାର ଓ ଚତୁର୍ଥ ଭାଗରେ ୧୧ଟି ମୌଳିକ କର୍ତ୍ତବ୍ୟକୁ ସ୍ଥାନ ଦିଆଯାଇଛି।
