ବାଲେଶ୍ୱର : ହରଗଙ୍ଗା ପୋଖରୀରେ ପ୍ରତିଷ୍ଠା ହେବ ୨୨ ଫୁଟ୍ ଉଚ୍ଚତାର ଶିବମୂର୍ତି
ବାଲେଶ୍ୱର : ପ୍ରସ୍ତର ଶିଳ୍ପୀ ଉପନ୍ଦ୍ରେ ନାଥ ଗିରି ନିଜ ମାଟିରେ ଅଲଡ଼ା ହୋଇଥିଲାବେଳେ ସାରା ଭାରତରେ ତାଙ୍କର ପ୍ରସ୍ତର ମୂର୍ତି ଓ ନିହାଣ ବେଶ୍ ସୁଖ୍ୟାତି ଲାଭ କରିଛି । ବେଙ୍ଗାଲୁରୁଠାରୁ ଆରମ୍ଭ କରି ନାଗପୁର ପର୍ଯ୍ୟନ୍ତ ସବୁଠି ତାଙ୍କର କଳାଭାସ୍କର୍ଯ୍ୟର ପ୍ରତିଛବି ଦେଖିବାକୁ ମିଳେ । ଆନ୍ତର୍ଜାତିକ ପ୍ରସ୍ତର ମୂର୍ତି ବ୍ୟବସାୟରେ ମଧ୍ୟ ତାଙ୍କର ସୁନାମ ରହିଛି । ତେବେ ବାଲେଶ୍ୱରରେ ସେ ଏବେବି ଅବହେଳିତ ରହିଛନ୍ତି । ତେବେ ବାଲେଶ୍ୱର ସହରର ୮ନଂ ୱାର୍ଡ଼ରେ ଥିବା ସର୍ବ ପୁରାତନ ହରଗଙ୍ଗା ପୋଖରୀ ମଝିରେ ଏକ ବାଇଶ ଫୁଟ୍ ଉଚ୍ଚତାର ଶିବମୂର୍ତି ପ୍ରତିଷ୍ଠା ପାଇଁ ତାଙ୍କୁ ସ୍ଥାନୀୟ ପୂର୍ବତନ କାଉନସିଲର୍ ତଥା ଯୁବନେତା ମନୋଜ ରାଉତ ବରାଦ ଦେଇଥିଲେ । ରାଜ୍ୟ ସରକାରଙ୍କ ପୁଷ୍କରିଣୀ ସଂସ୍କାର ଯୋଜନାରେ ଏହି ପ୍ରତିମୂର୍ତି ପ୍ରତିଷ୍ଠା କରାଯିବ ।
ତେବେ ଦୀର୍ଘ ପାଂଚମାସ ଧରି ୭ଜଣ ପ୍ରସ୍ତର ଶିଳ୍ପୀଙ୍କୁ ନେଇ ଶ୍ରୀ ଗିରି ନିଜର କୁରୁଡ଼ାସ୍ଥିତ ନି ସିଦ୍ଧିବିନାୟକ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରତିଷ୍ଠାରେ ଦିନରାତି କାମ କରି ଫାଇବର ଗ୍ଲାସରେ ଏକ ବିଶାଳ ମୂର୍ତି ନିର୍ମାଣ କରିଛନ୍ତି । ଏହି ପ୍ରତିମୂର୍ତି ଆଗାମୀ ୨୭ ତାରିଖ ସୁଦ୍ଧା ହରଗଙ୍ଗା ପୋଖରୀରେ ପୂଜାର୍ଚ୍ଚନା ସହ ସ୍ଥାପନା କରାଯିବାର ଲକ୍ଷ୍ୟ ରହିଛି । ୧୫ଫୁଟ୍ ଓସାର, ୨୨ ଫୁଟ୍ ଉଚ୍ଚତା ଓ ଅଢ଼େଇ ଟନ୍ ଓଜନର ଦେବଦେବ ମହାଦେବଙ୍କ ଯୋଗମୁଦ୍ରାରେ ଏହି ମୂର୍ତି ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିବା ବେଳେ ଏହାର ମୂଲ୍ୟ ୧୫ଲକ୍ଷ ଟଙ୍କା ରଖାଯାଇଛି । ତେବେ ପ୍ରସ୍ତରରେ ମୂର୍ତି ପ୍ରସ୍ତୁତ ହୋଇଥିଲେ ଏହାର ମୂଲ୍ୟ ଓ ଓଜନ ଅଧିକ ହୋଇଥା’ନ୍ତା ବୋଲି ଶ୍ରୀ ଗିରି ଏକ ସାକ୍ଷାତ୍କାରରେ କହିଛନ୍ତି । ଦୀର୍ଘ ୧୭ବର୍ଷ ଧରି ସେ ଛାତ୍ର ଅବସ୍ଥାରୁ ମୂର୍ତି ନିର୍ମାଣ କରିଆସୁଛନ୍ତି । ତେବେ ବାଲେଶ୍ୱର ଜିଲ୍ଲାର ରାଜନେତା କିମ୍ବା ଶିଳ୍ପପତିମାନେ ଏଭଳି ମୂର୍ତି ପ୍ରତିଷ୍ଠା ଦିଗରେ ରୁଚି ରଖୁ ନଥିଲେ ମଧ୍ୟ ସେମାନଙ୍କୁ ସେ ବୁଝାଇବାରେ କିଛି ପରିମାଣରେ ସକ୍ଷମ ହୋଇଛନ୍ତି । ଅତୀତରେ ଧାମନଗରରେ ଭୂତପୂର୍ବ ରାଷ୍ଟପତି ଡ. ଏ.ପି.ଜେ ଅବଦୁଲ୍ କାଲାମଙ୍କ ୧୩ଫୁଟ୍ ଉଚ୍ଚତାର ଏଭଳି ପ୍ରତିମୂର୍ତି ନିର୍ମାଣ କରିଥିଲା ବେଳେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପ୍ରଭୂ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ମୂର୍ତି ମଧ୍ୟ ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇଛନ୍ତି ।
ଖୁବ୍ ଶୀଘ୍ର ବେଙ୍ଗାଲୁରୁରେ ସେ ୧୦ଫୁଟ୍ ଉଚ୍ଚତାର ଏକ କୋଣାର୍କ ଚକ୍ର ମୂର୍ତି ପ୍ରତିଷ୍ଠା କରିବେ । ସେହିପରି ନାଗପୁର ସହରର ଜାତୀୟ ରାଜପଥରେ ପ୍ରଭୁ ଶ୍ରୀ ଶ୍ରୀ ଜନୁମାନଙ୍କ ୬୦ଫୁଟ୍ ଉଚ୍ଚତାର ଏକ ପ୍ରତିମୂର୍ତି ପ୍ରତିଷ୍ଠା ପାଇଁ ଏବେ କାମ କରୁଥିବା କହିଛନ୍ତି । ଅତୀତରେ ଦିଲ୍ଲୀ, ମୁମ୍ବାଇ ସମତେ ବିଭିନ୍ନ ସହରରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀକ ପ୍ରସ୍ତର ଶିଳ୍ପ ମେଳାରେ ସେ ଭାଗନେଇ ବହୁ ବିଶାଳକାୟ ମୂର୍ତି ବିକ୍ରି କରିଥିବା ଶ୍ରୀ ଗିରି କହିଛନ୍ତି । ବେଙ୍ଗାଲୁରୁରେ ଆଗାମୀ ଫେବୃଆରୀ ୧୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ ମେଳାରେ ସେ ନିଜର କଳାକୃତି ପ୍ରଦର୍ଶନ କରିବା ସହ ନିଜର ଉତ୍ପାଦିତ କଳାକୃତିଗୁଡ଼ିକୁ ଭଲ ଦରରେ ବିକ୍ରି କରିବେ ବୋଲି କହିଛନ୍ତି । ତେବେ ନିଜ ମାଟିରେ ସେ କିଛି ନୂଆ ତଥା ଅନବଦ୍ୟ କଳାଭାସ୍କର୍ଯ୍ୟ ପ୍ରଦର୍ଶନ କରିବାକୁ ଚାହୁଁଥିଲାବେଳେ ସରକାର ଓ ଶିଳ୍ପପତିମାନେ ଏ ଦିଗରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।
