ପୋଲ ସଂଯୋଗୀକରଣ ରାସ୍ତା ପୋଡ଼ିଦେଲେ ଦୁର୍ବୁତ୍ତ, ଯାତାୟତ ଠପ୍
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତର ବୋଇତବାଙ୍କ ଠାରେ ନିର୍ମିତ ହୋଇଥିବା ପୋଲର ସଂଯୋଗୀକରଣ ରାସ୍ତାକୁ ଶୁକ୍ରବାର ରାତିରେ କେତେକ ଦୁର୍ବୁତ୍ତ ପୋଡ଼ି ଦେଇଛନ୍ତି । ପୋଲ ନିର୍ମାଣ ହୋଇଥିଲେ ବି ସଂଯୋଗୀକରଣ ରାସ୍ତା କରାଯାଇନଥିବାରୁ ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ସହଯୋଗରେ ବାଉଁଶରେ ଏକ ରାସ୍ତା ନିର୍ମିତ ହୋଇଥିଲା । ତେବେ ଏହା ଭାଙ୍ଗିରୁଜି ଯିବାରୁ ଶୁକ୍ରବାର ଏହାକୁ ସ୍ଥାନୀୟ ଲୋକମାନେ ନିଜ ଖର୍ଚ୍ଚରେ ସଜାଡ଼ିଥିଲେ । ମାତ୍ର ରାତିରେ କେତେକ ଦୁର୍ବୁତ୍ତ ବାଉଁଶ ମଝିରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ଏହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।
ଗତ କିଛିଦିନ ତଳେ ବାଲେଶ୍ୱର ସାଂସଦ ଓ ରେମୁଣା ବିଧାୟକ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ଏସ୍ଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେନ୍ତୁଳିଦା ପଞ୍ଚାୟତର ସରପଞ୍ଚ ସଞ୍ଜୀବ କର ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହା ସହ ତୁରନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ସୂଚନା ଯେ, ପ୍ରତିଦିନ ନଦୀ ଏପଟ ତେନ୍ତୁଳିଦା, ଦୁର୍ଗାଦେବୀ ଓ ପତ୍ରିପାଳ ପଞ୍ଚାୟତର ପାଖାପାଖି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ହଜାର ହଜାର ଲୋକ ଏହି ରାସ୍ତା ପାରି ହୋଇ ବାଲେଶ୍ୱର, ରେମୁଣା, ମିତ୍ରପୁର ଓ ନୀଳଗିରିକୁ ଚାକିରି ତଥା ବ୍ୟବସାୟ ପାଇଁ ଆସିଥାନ୍ତି । ମାତ୍ର ଦୀର୍ଘଦିନ ଧରି ଭଲ ସଂଯୋଗୀକରଣ ରାସ୍ତାଟିଏ ନଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି । ୨୦୧୮ ରେ ୧୩ କୋଟି ଟଙ୍କା ବ୍ୟୟରେ ଏଠାରେ ବିଜୁ ସେତୁ ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ପୋଲ ନିର୍ମାଣ ସାରିଥିବାବେଳେ ଠିକାଦାର ସଂଯୋଗୀକରଣ ରାସ୍ତା ନିର୍ମାଣ କରିନଥିବାରୁ ବାଧ୍ୟହୋଇ ଏହି ବାଉଁଶ ରାସ୍ତା ତିଆରି କରିଥିଲେ । ଏବେ ଏହାକୁ ଦୁର୍ବୁତ୍ତମାନେ ପୋଡ଼ିଦେବାରୁ ଯାତାୟାତ ଠପ୍ ହୋଇଛି ।
