ପ୍ରଥମ ଦିନିକିଆ : ୭ ୱିକେଟରେ ଭାରତକୁ ହରାଇଲା ନ୍ୟୁଜିଲାଣ୍ଡ
ଅକଲ୍ୟାଣ୍ଡ : ଅକଲ୍ୟାଣ୍ଡରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଟମ୍ ଲାଥମଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ଦଳ ୭ ୱିକେଟରେ ଭାରତକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟରେ ଟିମ୍ ଇଣ୍ଡିଆର ଏହା କ୍ରମାଗତ ପଞ୍ଚମ ପରାଜୟ ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା । ଭାରତ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଶିଖର ଧାୱନ (୭୨), ଶୁବମାନ ଗିଲ (୫୦) ଏବଂ ଶ୍ରେୟାସ ଆୟର (୮୦) ଅର୍ଦ୍ଧଶତକ ହାସଲ କରିଥିଲେ।
୩୦୭ ରନର ଜବାବରେ ନ୍ୟୁଜିଲ୍ୟାଣ୍ଡ ୪୭.୧ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ଏକଦା ୮୮ ରନରେ ୩ ଓ୍ବିକେଟ୍ ହରାଇ ଦେଇଥିଲା । ହେଲେ ଅଧିନାୟକ କେନ୍ ୱିଲିୟମ୍ସନ୍ ( ଅପରାଜିତ ୯୪) ଏବଂ ଟମ୍ ଲାଥାମ୍ ଚତୁର୍ଥ ୱିକେଟରେ ଅବିଭକ୍ତ ୨୨୧ ରନର ଭାଗିଦାରୀ ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ଲଥାମ୍ ମାତ୍ର ୧୦୪ଟି ବଲରେ ୧୯ଟି ଚୌକା ଓ ୫ଟି ଛକା ସହ କ୍ୟାରିୟର ଶ୍ରେଷ୍ଠ ୧୪୫ ରନ୍ କରିଥିଲେ। ଭାରତ ପକ୍ଷରୁ ଡେବୁଟାଣ୍ଟ ଉମ୍ରାନ ମଲିକ ୨ଟି ଓ୍ବିକେଟ୍ ନେଇଥିଲେ। ୨୦୧୯ ବିଶ୍ୱକପ ପରଠାରୁ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ଏହା କ୍ରମାଗତ ପଞ୍ଚମ ପରାଜୟ ।
