ଶ୍ରମିକ ସମସ୍ୟା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଶ୍ରମିକ ନେତା
କେନ୍ଦ୍ରାପଡ଼ା : ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ରାଜ୍ୟ ସାଧାରଣ ସଂପାଦକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଶ୍ରମିକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ନିର୍ମାଣ ଶ୍ରମିକ ପିଲାମାନଙ୍କର ଛାତ୍ରବୃତି ଦରଖାସ୍ତ, ଝିଅ ବାହାଘର ଅନୁଦାନ, ମୃତ୍ୟୁକାଳୀନ ସହାୟତା, ଶ୍ରମିକମାନଙ୍କୁ ସାଇକେଲ ପ୍ରଦାନ, ଯନ୍ତ୍ରପାତି ସହାୟତା ପ୍ରଦାନ ଆଦି ଗୁଡିକ ବର୍ଷବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡି ରହିଥିଲେ ମଧ୍ୟ ଏହାର କୈାଣସି ବିଚାର କରାଯାଉ ନାହିଁ । ମହିଳା ନିର୍ମାଣ ଶ୍ରମିକ ମାନଙ୍କର ଦରଖାସ୍ତ ଗୁଡିକୁ ପଞ୍ଜିକରଣ କରାଯାଇ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା, ରାଜ୍ୟରେ ପ୍ରାୟ ୫୦ ପ୍ରତିଶତ ନିର୍ମାଣ ଶ୍ରମିକମାନଙ୍କର ମୋବାଇଲ ଫୋନ ନଥିବାରୁ ସମସ୍ତ ଅନଲାଇନ ଦରଖାସ୍ତରେ ଓଟିପି ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ଦାବି କରାଯାଇଛି । ଏଥି ସହିତ ପୂର୍ବଭଳି ଅଫଲାଇନ ଏବଂ ଅନଲାଇନରେ ବ୍ୟବସ୍ଥା ପ୍ରଚଳିତ କରିବାକୁ ଦାବି କରାଯାଇଛି । ଏହି ୮ ଦଫା ଦାବି ସଂପର୍କରେ ତୁରନ୍ତ ବିଚାର କରାଯାଇ ଶ୍ରମିକ ମାନଙ୍କ ସମସ୍ୟା ଦୂର କରିବା ପାଇଁ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶି ଲାଲଙ୍କୁ ରାଜ୍ୟ ସଂପାଦକ କାମିନି ମିଶ୍ର, ମନୋଜ କୁମାର ପରିଡା, ନିତ୍ୟାନନ୍ଦ ସାମଲ, ପ୍ରଦିପ୍ତ କୁମାର ସାମଲ ପ୍ରମୁଖ ଆଲୋଚନା କରି ସମସ୍ୟାକୁ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି ।
