ପୁଣି ବଢିବ ଶୀତ, କୁହୁଡ଼ିର ଚାଦରରେ ଢାଙ୍କି ହଉଛି କେନ୍ଦୁଝର
କେନ୍ଦୁଝର : ରାଜ୍ୟରେ ପୁଣି ବଢ଼ିବ ଶୀତ । ଆଜି ଠାରୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଖସିବ । ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଥିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କ୍ରମରେ କେନ୍ଦୁଝରରେ ୨ ଦିନ ଶୀତ କମିଥିବାବେଳେ ବୁଧବାର ସକାଳୁ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ଗୁରୁବାର ଠାରୁ ପୁଣି ଥରେ ଶୀତ ବଢିବାର ସମ୍ଭାବନା ରହିଛି । କିଛି ଦିନ ତଳେ କେନ୍ଦୁଝର ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଲଗାତାର ଭାବେ ହ୍ରାସ ପାଇ ରବିବାର ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିଥିଲା । ସୋମବାର ଏବଂ ମଙ୍ଗଳବାର ସାମାନ୍ୟ ପରିବର୍ତନ ଘଟି ୧୬ ଡିଗ୍ରୀ ଉପରେ ରହିଥିଲା । ବୁଧବାର ସକାଳେ କେନ୍ଦୁଝର ଜିଲ୍ଲାର ଅନେକ ଅଂଚଳରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସକାଳୁ କେନ୍ଦୁଝର ସହର ସ୍ୱଳ୍ପ ସମୟ ପାଇଁ କୁହୁଡ଼ି ବଳୟରେ ରହିଥିଲା । ସେହିପରି ବାଂଶପାଳ ବ୍ଲକର ବଣ ପାହାଡ ଘେରା ତରମାକାନ୍ତ, କୁଶକଳା, ଖଣ୍ଡାଧାର ଆଦି ଅଂଚଳ ସହିତ ଜିଲ୍ଲାର ଅନେକ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ନଭେମ୍ବର ମାସ ଆରମ୍ଭରୁ ହିଁ କେନ୍ଦୁଝରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିବା କୁହାଯାଉଛି । ଅନ୍ୟ ଶୀତଳତମ ଜିଲ୍ଲା ପରି କେନ୍ଦୁଝରରେ ମଧ୍ୟ ଶୀତ ଦିନେ ପ୍ରବଳ ଶୀତ ଅନୁଭୂତ ହୁଏ । କାଂଜିିପାଣି, ତରମାକାନ୍ତ, ବଲାଣୀ ଆଦି ଅଂଚଳରେ ରାତିରେ ପଡ଼ୁଥିବା କାକର ଘନୀଭୂତ ହୋଇ ତୁଷାରର ଭ୍ରମ ସୃଷ୍ଟି କରିଥାଏ । ଶୀତ ଋତୁରେ କେନ୍ଦୁଝରରେ ରହିଥିବା ପାହାଡ, ଝରଣା, ଜଳ ପ୍ରପାତ ଭଳି ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟେ ।
