ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ୍
ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଦୃଷ୍ଟିରୁ କେନ୍ଦ୍ରସରକାର ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଆଜି ବାତିଲ୍ କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବରୁ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପରୀକ୍ଷା କରୋନା ସମୟରେ କରାଯିବ କି ନାହିଁ ତା ଉପରେ ସବିଶେଷ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ସର୍ବ ସମତ କ୍ରମେ କରୋନା ପରିସ୍ଥିତିରେ ପରୀକ୍ଷାର୍ଥିୀ ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତି ନିଆଯାଇଛି । ଏହା ସହିତ ଏହି ପରୀକ୍ଷାକୁ ନେଇ ବିଗତ କିଛି ସପ୍ତାହ ହେଲା ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲାଗିରହିଥିବା ଅନିଶ୍ଚିତତାର ପରିସମାପ୍ତି ଆଜି ଘଟିଛି ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ କି ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ନିରାପତାକୁ ନେଇ ସରକାର ଖେଳ ଖେଳିପାରିବେ ନାହିଁ । ଏହାକୁ ନେଇ କୌଣସି ଆପୋଷ ବୁଝାମଣା କିମ୍ବା ସାଲିସ୍ କରାଯିବ ନାହିଁ । ପିଲାମାନଙ୍କ ବୃହତର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏଭଳି ନିଷ୍ପତି ଭାବିଚିନ୍ତା ନିଆଯାଇଛି । କରୋନା ମହାମାରୀ ଭଳି ଏକ ଚାପଯୁକ୍ତ ପରିବେଶରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରିବା ଆଦୌ ଉଚିତ୍ ହେବ ନାହିଁ । ସମୀକ୍ଷା ବୈଠକରେ ଗୃହ, ପ୍ରତିରକ୍ଷା, ଅର୍ଥ, ସୂଚନା ଓ ପ୍ରଶାସର, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ଏହା ବ୍ୟତୀତ ଏ ସବୁ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ପତିକୁ ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍ୱାଗତ କରିଛନ୍ତି । ଏହା ସହିତ ସମୀକ୍ଷା ବୈଠକରେ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ସ୍କୁଲ୍ କର୍ତୃପକ୍ଷଙ୍କୁ ଆବେଦନକରି ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତି ନିଆଯାଇଛି । ତେବେ କିଛି ମେଧାବୀଛାତ୍ର ଓ ଛାତ୍ରୀ କହିଛନ୍ତି କି ବର୍ଷସାରା ସେମାନେ ଭଲ ନମ୍ବର ରଖିବା ପାଇଁ ଦିନରାତି ପରିଶ୍ରମ କରୁଥିଲା ବେଳେ ପରୀକ୍ଷା ସ୍ଥଗିତ ରଖାଯିବା ସେମାନଙ୍କ ପାଇଁ ନୈରାଶ୍ୟଭାବ ସୃଷ୍ଟି କରିଛି । ତେବେ ସରକାର କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ନେଇଥିବା ନିଷ୍ପତି ନିଶ୍ଚିତଭାବେ ସ୍ୱାଗତ ଯୋଗ୍ୟ ଅଟେ । ହେଲେ ସେମିଷ୍ଟାର ପରୀକ୍ଷାର ମାର୍କ ଓ ପର୍ସଂଟେଜକୁ ନେଇ ବାର୍ଷିକ ପରୀକ୍ଷାର ମାର୍କ ଦିଆଗଲେ ଅନେକ ମେଧାବୀ ଛାତ୍ରଛାତ୍ରୀ ନିରାଶ ହୋଇ ପାରନ୍ତି ବୋଲି କିଛି ଶିକ୍ଷାବିତ୍ ମତ ପ୍ରକାଶ କରିଛନ୍ତି ।
