ଆନ୍ଦୋଳନ ପାଇଁ ସଜବାଜ ହେଲେ ଆଉଟସୋର୍ସିଂ କର୍ମଚାରୀ
ବାଲିଆପାଳ : ଗତମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା କର୍ମଚାରୀଙ୍କ ଚାକିରୀ ନିୟମିତ କରି ଠିକା ବ୍ୟବସ୍ଥା ଉଛେଦ ହେଲା ବୋଲି ଘୋଷଣା କରିଛନ୍ତି,ହେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୈଣସି ବିଜ୍ଞପ୍ତି ପ୍ରକାଶ କଲେ ନାହିଁ । ସେପଟେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସମାନ କାମକୁ ସମାନ ଦରମାକୁ ମଧ୍ୟ ପାଳନ କଲେ ନାହିଁ । ମହଙ୍ଗା ବଜାରଦର ସହ ଦୈନନ୍ଦିନ ଆବଶ୍ୟକତା ଅନୁସାରେ ମାତ୍ର ୮ ରୁ ୧୦ ହଜାର ଟଙ୍କା ଦରମାରେ ଚଳିବା କଷ୍ଟକର । ତେଣୁ ଏ ନେଇ ସଂଘ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛି । ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ, ସ୍ଥାୟୀ ନିଯୁକ୍ତି ଓ ଚାକିରୀରୁ ବହିଷ୍କାର ନ କରିବା ବିଭିନ୍ନ ଦାବି ନେଇ ବାଲିଆପାଳ ବ୍ଲକର ସରକାରୀ ଆଉଟସୋର୍ସିଂ କର୍ମଚାରୀ ଏକତ୍ରିତ ହୋଇ ଆସନ୍ତା ୨୬ ତାରିଖ ଭୁବନେଶ୍ୱର ଆନ୍ଦୋଳନରେ ବହୁମାତ୍ରାରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସଭାରେ ଆଉଟସୋର୍ସିଂ ସଂଘର ଜିଲ୍ଲା ଉପସଭାପତି ଦେବାଶିଷ ଜେନା ବାଲିଆପାଳ ବ୍ଲକରେ ଶତାଧିକ କର୍ମଚାରୀଙ୍କୁ ଭୁବନେଶ୍ୱର ଯିବା ପାଇଁ ନିବେଦନ କରିଥିଲେ । ଜିଲ୍ଲା ସଭାପତି ମନୋଜ ରାଉତ୍ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଉପରେ ଆଲୋକପାତ କରିବା ସହ କର୍ମଚାରୀ ମାନଙ୍କୁ ଏକଜୁଟ କରି ଭୁବନେଶ୍ୱର ଆନ୍ଦୋଳନକୁ ସଫଳ କରାଇବା ଦିଗରେ କହିଛନ୍ତି । ଉକ୍ତ ସଭାରେ ବାଲିଆପାଳ ବ୍ଲକର ବିଭିନ୍ନ ବିଭାଗର ସରକାରୀ ଆଉଟସୋର୍ସିଂ କର୍ମଚାରୀ ନରୋତ୍ତମ ଦାସ,ପାର୍ଥସାରଥି ପାଲ,ସିତା ହାଜରା,ସନ୍ତୋଷ ପାତ୍ର,ପୂଜା କୁଲ୍ହାରି,ପ୍ରିତମ୍ ନାୟକ,ଅମିତ ଜେନା,ତାପସ ସେଠିଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଆଉଟସୋର୍ସିଂ ସଂଘର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସାନୁ କୁମାର ଶାସମଲ କର୍ମଚାରୀଙ୍କୁ ବହୁମାତ୍ରାରେ ଭୁବନେଶ୍ୱର ସମାବେଶକୁ ଯିବାପାଇଁ ଆହ୍ୱାନ କରିବା ସହ ଧନ୍ୟବାଦ ଜଣାଇଥିଲେ ।
