ଜିଲାସ୍କୁଲରେ ଆନନ୍ଦମାର୍ଗ ଯୋଗ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ଆନନ୍ଦମାର୍ଗ ପକ୍ଷରୁ ଜିଲା ସ୍କୁଲରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଶିକାନ୍ତ ପତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦମାର୍ଗ ମହିଳା ବିଭାଗର ଜିଲା ସମ୍ପାଦିକା ବ୍ରହ୍ମଚାରିଣୀ ସୁଚେତା ଆଚାର୍ଯ୍ୟା ଯୋଗଦେଇ ମାନବ ଶରୀର ପାଇଁ ଯୋଗ-ପ୍ରାଣାୟମର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ନିୟମିତ ଯୋଗାଭ୍ୟାସ ଓ ଧ୍ୟାନ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନିସକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ । ଏହା ଦ୍ୱାରା ସ୍ମରଣଶକ୍ତି, ଏକାଗ୍ରତା, ଆତ୍ମବିଶ୍ୱାସ, ସୃଜନଶକ୍ତି ଆଦି ବୃଦ୍ଧି ହୋଇଥାଏ । ଏହି ଅବସରରେ ବ୍ରହ୍ମଚାରିଣୀ ସୁଚେତା ଛାତ୍ରଛାତ୍ରୀଙ୍କୁ ଯୋଗମୁଦ୍ରା, ଦୀର୍ଘ ପ୍ରଣାମ, ଭୂଜାସନ, ମତ୍ସ୍ୟମୁଦ୍ରା, ମୟୂରାସନ, ପଦ୍ମାସନ, କୌଷିକି ନୃତ୍ୟ ପ୍ରଭୃତି ପ୍ରଶିକ୍ଷଣ ଦେଇଥିଲେ । ଆନନ୍ଦମାର୍ଗର ଜିଲା ସମ୍ପାଦକ ଭାସ୍କର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରିଚାଳନାରେ ପରମେଶ୍ୱର ପଣ୍ଡା, ଦେବବ୍ରତ ନାୟକ, ମସ୍କୁଲ ଅଲି ଖାଁ, ସଂଧ୍ୟା ଦାସ, ସ୍ମିିତା ବର୍ଦ୍ଧନ, ଜିଲା ସ୍କୁଲର ସୋନାଲି ମହାନ୍ତି ପ୍ରମୁଖ ଜିଲା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ ।
