ଆଜିଠୁ ମାଟ୍ରିକ୍ ପ୍ରଥମ ସମେଟିଭ ପରୀକ୍ଷା
କଟକ/ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦଶମ ଶ୍ରେଣୀର ପ୍ରଥମ ସମେଟିଭ ପରୀକ୍ଷା । ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଂଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ବୋର୍ଡସ୍ତରୀୟ ଜିଲ୍ଲା ଶିକ୍ଷା ଅଧିକାରୀସ୍ତରୀୟ ବ୍ୟବସ୍ଥା କରାଯାଇଛି । ସେହିପରି ପୂର୍ବରୁ ଯେଉଁ ସବୁ ସେଂଟରରେ କପି ହେଉଥିବାର ନଜିର ରହିଛି । ସେଠି କପି ରୋକିବା ପାଇଁ ଅବଜରଭର ରଖାଯାଇଛି । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଚଳିତବର୍ଷ ଛାତ୍ର ଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ନାହିଁ । ସମେଟିଭ ୧ ଓ ସମେଟିଭ ୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ ଚଳିତ ମାସ ୨୩ରୁ ୩୦ ତାରିଖ ଯାଏଁ ମାଟ୍ରିକ ସମ୍ମେଟିଭ୍ ଆସେସ୍ମେଂଟ-୧ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୦ ଜିଲ୍ଲାର ୩୦୨୯ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଚଳିତବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ । ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ । ନକ୍ସଲ ପ୍ରଭାବିତ ଅଂଚଳରେ ୨୨ଟି ନୋଡାଲ ସେଂଟର୍ କରାଯାଇଛି । ଯେଉଁଥିରେ କନ୍ଧମାଳ ୭ଟି, ମାଲକାନଗିରି ୧୦ଟି, କୋରାପୁଟର ୫ଟି ଥାନାକୁ ସାମିଲ କରାଯାଇଛି । ଚଳିତବର୍ଷ ସ୍କୁଲଠାରୁ ୧୦ କିମି ଭିତରେ ସବୁ ସେଂଟର କରାଯାଇଛି । ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟାରେ ଛାତ୍ରଛାତ୍ରୀମାନେ ସେଂଟର ଭିତରକୁ ପ୍ରବେଶ କରିବେ । ଅନ୍ୟଦିନରେ ସକାଳ ୯.୧୫ ମିନିଟ୍ ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ୍ ସମୟ ମିଳିବ ।
