କରୋନାରେ ଅନାଥ ପିଲାମାନଙ୍କ ପାଇଁ ଯୋଜନା କ’ଣ ହୋଇଛି ଜଣାଅ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଆତଙ୍କ ଖେଲାଇଛି । ଏଥିରେ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇପଡ଼ିଥିବା ଶିଶୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଦାୟିତ୍ୱ ଦେଇଥିବା ସୁପ୍ରିମକୋର୍ଟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଏହି ଯୋଜନାର ସଂପୂର୍ଣ୍ଣ ବିବରଣୀ କେନ୍ଦ୍ର ସରକାରଙ୍କୁ ମାଗିଛନ୍ତି। ଏ ପ୍ରସଙ୍ଗରେ ହିତାଧିକାରୀଙ୍କ ଚିହ୍ନଟ, ଏହି ଯୋଜନା ଉପରେ ନଜର ରଖିବା ପାଇଁ ଯନ୍ତ୍ରକ କୌଶଳ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ସବିଶେଷ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୭ରେ କରିବା ପାଇଁ ସୁପ୍ରିମ୍କୋର୍ଟ ଆଜି ଦିନ ଧାର୍ଯ୍ୟ କରିଛନ୍ତି ।
ଦିଲ୍ଲୀ ଏବଂ କେରଳ ସମେତ ଅନେକ ରାଜ୍ୟ ଏଭଳି ପିଲାମାନଙ୍କ ପାଇଁ ଯୋଜନା ଘୋଷଣା କରିସାରିଛନ୍ତି। ଶନିବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଏହିପରି ପିଲାମାନଙ୍କର ଶିକ୍ଷାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ଏବଂ ସେମାନେ ୨୩ ବର୍ଷ ବୟସରେ ପହଞ୍ଚିବା ପରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରିବ। ଏହି ଯୋଜନା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଦ୍ୱାରା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ୧୧-୧୮ ବର୍ଷ ବୟସର ପିଲାଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ଆଡମିଶନ ଦିଆଯିବ କିମ୍ବା ସେମାନଙ୍କ ଦେୟ ପ୍ରଦାନ କରାଯିବ। ଏଥିସହ, ଏହ ପିଲାମାନଙ୍କ ନାମରେ ସ୍ଥିର ଜମା ଖୋଲାଯିବ ଏବଂ ସେମାନେ ୨୩ ବର୍ଷ ବୟସରେ ଟଙ୍କା ପାଇବେ। କୋଭିଡ୍-୧୯ ମହାମାରୀରେ ଏପ୍ରିଲ ୧ ରୁ ମେ ୨୫ ମଧ୍ୟରେ ସାରା ଦେଶରେ ଅତି କମରେ ୫୭୭ ପିଲା ଅନାଥ ହୋଇଯାଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।
