ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୪୨ ତମ ଓଡ଼ିଶା ଇତିହାସ କଂଗ୍ରେସ ଅଧିବେଶନ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ଓ ପ୍ରତ୍ନତତ୍ୱ ବିଭାଗ ଆନୁକୂଲ୍ୟରେ ୪୨ ତମ ଓଡ଼ିଶା ଇତିହାସ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜନ କରାଯାଇଥିବା ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧିବେଶନରେ ଭାଗନେଇଥିବା ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକ ତଥା ଐତିହାସିକ ଓ ଗବେଷକମାନଙ୍କୁ ଏକ ନୂତନ ଧାରାର ଇତିହାସ ରଚନା କରିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ବିଶ୍ୱସ୍ତରରେ ଇତିହାସ ରଚନା ଓ ଏହାର ସମ୍ରାଜ୍ୟବାଦୀ ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ହେଲେ ଆଜିର ଇତିହାସକାର ଓ ଗବେଷକମାନଙ୍କୁ ସତ୍ୟର ଅନୁସନ୍ଧାନ କରିବାକୁ ପଡ଼ିବ ଓ ତଥ୍ୟ ସମ୍ବଳିତ ଇତିହାସ ସୃଷ୍ଟି କରିବାକୁ ପଡ଼ିବ । ସମାଜ ତଥା ଦେଶର ହିତ ସାଧନ ପାଇଁ ଏକ ବିଜ୍ଞାନ ସମ୍ମତ ଇତିହାସ ରଚନା କରିବାର ପରମ୍ପରାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣାଶୁଣା ଇତିହାସହକାର ତଥା ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପକ କୁମାର ଭାରତ ତଥା ବିଶ୍ୱରେ ପ୍ରଚଳିତ ଇତିହାସ ରଚନାର ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ । ଇତିହାସର ରଚନା ଓ ସଂରଚନା ସଦାସର୍ବଦା ଗୋଟିଏ ଦେଶ ବା ଜାତିର ପରମ୍ପରାଗତ ଧାର୍ମିକ ଚେତନା ତଥା ପୁରାତନ ସାହିତ୍ୟ କୃତି ଉପରେ ଆଧାରିତ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ସମାଜ ଗଠନ ଓ ଆମ ଦେଶ ତଥା ଅଞ୍ଚଳର ପରିଚୟ ରକ୍ଷା ଦିଗରେ ଇତିହାସ ଓ ଇତିହାସକାର ମାନଙ୍କର ଯୋଗଦାନ ଅତୁଳନୀୟ ବୋଲି ମତ ପୋଷଣ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଇତିହାସ କଂଗ୍ରେସ ନିଜର ୪୨ ତମ ଅଧିବେଶନ ଆୟୋଜନ କରିଥିବା ହେତୁ କୃତଜ୍ଞତା ପ୍ରକାଶ କରିଥିଲେ । ଓଡ଼ିଶା ଇତିହାସ କଂଗ୍ରେସର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲିକ ନିଜ ଭାଷଣରେ ଇତିହାସ ରଚନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଯୁବପିଢ଼ି ମାନଙ୍କୁ ନୂଆ ଧାରାର ଇତିହାସ ସୃଷ୍ଟି କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସମାଜର ପ୍ରତ୍ୟକ ପିଢ଼ି ନିଜ ଧାରାରେ ସମସାମୟିକ ଘଟଣା ଉପରେ ପର୍ଯ୍ୟବେସିତ ତଥା ତଥ୍ୟ ଓ ଯୁକ୍ତି ସମ୍ବଳିତ ଇତିହାସ ରଚନା କରିବା ଆବଶ୍ୟକ ବୋଲି କହିଥିଲେ ।
ଉଦ୍ଘାଟନୀ ସଭା ଆରମ୍ଭରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ସମସ୍ତଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ରଖିଥିଲେ । ଓଡ଼ିଶା ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡ. ସୁବାଷ ଚନ୍ଦ୍ର ବାରିକ, ଓଡ଼ିଶା ଇତିହାସ କଂଗ୍ରେସର ବାର୍ଷିକ ବିବରଣୀ ପାଠ କରିଥିଲେ । ଡ. ସୁଶାନ୍ତ ବାରିକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଓଡ଼ିଶା ହିଷ୍ଟୋରୀ କଂଗ୍ରେସ ତରଫରୁ ଏକ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ୪୨ ତମ ଓଡ଼ିଶା ହିଷ୍ଟୋରୀ କଂଗ୍ରେସର କାର୍ଯ୍ୟସୂଚୀ ଉନ୍ମୋଚନ କରିଥିଲେ । ଏହି ଉପଲକ୍ଷେ ଏକ ସ୍ୱର୍ଣ୍ଣ ଜୟନ୍ତୀ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଓଡ଼ିଶାରେ ଇତିହାସ ରଚନା ଓ ଗବେଷଣା କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଇତିହାସକାର ଡ. ସୋମା ଚାନ୍ଦ ଓ ଡ. ହରିହର ଦାଶ ପ୍ରତ୍ୟକଙ୍କୁ ଓଡ଼ିଶା ହିଷ୍ଟୋରୀ କଂଗ୍ରେସ ତରଫରୁ ଏକ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି । ଓଡିଶା ଇତିହାସ ଉପରେ ଡ. ସୋମା ଚାନ୍ଦଙ୍କ ଦ୍ୱାରା ଲିଖିତ ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ଅବସରରେ ଡ. ଅରବିନ୍ଦ ବୋଷ ଓ ଜୀନା ପ୍ରିୟଙ୍କା ଜେଠିଙ୍କୁ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଯୁବ ଇତିହାସକାର ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ସର୍ବେଶ୍ୱର ଦାସଙ୍କ ଦ୍ୱାରା ସଂରକ୍ଷିତ ଭାରତ ତଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କିତ ପ୍ରାୟ ଦଶ ହଜାରରୁ ଅଧିକ ଫୋଟଚିତ୍ରର ପ୍ରଦର୍ଶନୀ କରାଯାଇଛି । ୨୧ ତାରିଖ ସୋମବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନରେ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରୁ ୩୦୦ ଇତିହାସକାର, ଅଧ୍ୟାପିକାଅଧ୍ୟାପକ ଓ ଗବେଷକ ଅଂଶ ଗ୍ରହଣ କରୁଛନ୍ତି । ଶେଷରେ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସୁନୀଲ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଡ. ଦେବାଶିଷ ପତ୍ର ଓ ଡ. ସ୍ମିତି ପାଢ଼ୀ ସଭା ପରିଚାଳନା କରିଥିଲେ ।
