ତାଳବଣିଆ ପୋଖରୀରେ ଭାସୁଛି ଶବ
ପୁରୀ : ତାଳବଣିଆ ପମ୍ପ ହାଉସ ନିକଟ ପୋଖରୀରେ ଏକ ଶବ ଭାସୁଥିବା ଦେଖା ଯାଇଥିଲା । ଆଜି ସକାଳୁ ସ୍ଥାନୀୟ ବାସିନ୍ଦାମାନେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏହି ଶବକୁ ଦେଖିଥିଲେ । ପରେ ସମୁଦ୍ରକୂଳ ଓ ତାଳବଣିଆ ଥାନା ପୋଲିସ ପହଂଚି ଲାଇଫଗାର୍ଡ଼ ଓ ଅଗ୍ନିଶମ ବିଭାଗ ଦ୍ୱାରା ଶବଟିକୁ ଉଦ୍ଧାର କରିଥିଲେ । ମୃତ ଯୁବକ ଜଣକ ପରିଚୟ ମିଳିନଥିବା ବେଳେ ତା’ର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣା ଏବେ ସେହି ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ପୋଖରୀରେ ବୁଡ଼ି ମରିଛି କି ତାକୁ ମାରିଦିଆଯାଇଛି ସେନେଇ ପୋଲିସ ତଦନ୍ତ କରୁଛି । ସଞ୍ଜ ନଇଁଲେ ଆଇଟିଆଇ ଛକ ଠାରୁ ଭୁଦାନ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇପାଶ୍ୱର୍ରେ ଅସଞ୍ଜତ ଭାବେ ଯୁବକ ଯୁବତୀ, କିନ୍ନର ଏବଂ ନିଶାଖୋର ମାନେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳିଛି । ମୃତ ଯୁବକର ଶବ ବ୍ୟବଚ୍ଛେଦ ଓ ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି ।
