କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଆଲୋଚନା ଚକ୍ର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନ ଆନୁକୂଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ସଂଗଠନର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବକ୍ତୃତାମାଳାର ପ୍ରଥମ ବକ୍ତୃତା ପ୍ରଦାନ କରିଥିଲେ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଭାରତ ସରକାରଙ୍କ ରାଷ୍ଟ୍ରୀୟ ସୂଚନା ପ୍ରତିଷ୍ଠାନ କେନ୍ଦ୍ରର ଉପ ମହାନିର୍ଦେଶକ ଡଃ. ଅଶୋକ କୁମାର ହୋତା । ଆଜିର କଲେଜ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଡଃ. ଦେବେନ୍ଦ୍ର କୁମାର ଗୋଛାୟତ ସ୍ୱାଗତ ଅଭିଭାଷଣ ରଖିଥିଲେ । ବିଷୟ ବିଶାରଦ ଭାବରେ ଡଃ. ଅଶୋକ କୁମାର ହୋତା ଜୀବନର ସଫଳତା ପାଇଁ ଚିନ୍ତନର ସୁପରିଚାଳନା ଉପରେ ଉଦାହରଣ ମାଧ୍ୟମରେ ବିଭିନ୍ନ ଦିଗ ଉପରେ ବିସ୍ତାରିତ ଆଲୋଚନା କରିଥିଲେ । ଭାବର ଆଦାନ ପ୍ରଦାନ ଓ ପ୍ରଶ୍ନଛଳରେ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଆଲୋଚନାରେ ସକ୍ରୀୟ ଭାବରେ ସଂପୃକ୍ତ କରିଥିଲେ । ନକରାତ୍ମକ ଚିନ୍ତନକୁ ପରିହାର କରି ସକରାତ୍ମକ ଭାବଧାରାକୁ ବିକଶିତ କଲେ ଆମ ବ୍ୟକ୍ତିତ୍ୱ ଏକ ଆଭା ବିଛୁରଣ କରିଥାଏ । ସକରାତ୍ମକ ଚିନ୍ତା ଆମକୁ ସଫଳତାର ଶିଖରରେ ପହଞ୍ଚେଇବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ । ପୁରାତନ ଛାତ୍ର ସଂଗଠନର ଡଃ. ବିଧୁଭୂଷଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନର ସହ ସମ୍ପାଦକ ଡଃ. ପ୍ରମୋଦ କୁମାର ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ଏହି ଆଲୋଚନାଚକ୍ରରେ ପୁରାତନ ଛାତ୍ର ସଂଗଠନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ବର୍ତ୍ତମାନ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
