ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପ୍ରାୟ ୪ଘଂଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଆଜି ମଧ୍ୟାହ୍ନ ୧୨ଟା ୩୦ ସକାଳଧୂପ ଟୋରା ପଡ଼ି ୧ଟା ୨୦ରେ ମଇଲମ ହୋଇଥିଲା । ୧ଟା ୫୦ରେ ଭୋଗମଣ୍ଡପ ଉଠିବା ପରେ ୧ଟା ୫୫ରେ ବେଶ ଶେଷ ହୋଇଥିଲା । ୩ଟା ୫୦ରେ ମଧ୍ୟାହ୍ନଧୂପ ଛେକ,୪ଟା ୦୫ରେ ମଧ୍ୟାହ୍ନଧୂପ ପୂଜା ଆରମ୍ଭ ହୋଇ ୪ଟା ୨୫ରେ ମଧ୍ୟାହ୍ନଧୂପ ଟୋରା ପଡ଼ିଥିଲା । ଦ୍ୱିତୀୟ ଭୋଗମଣ୍ଡପ ପରେ ଦଇତାପତିମାନେ ଗର୍ଭ ଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତି ସମାପନ କରିଥିଲେ । ପ୍ରତିଦିନ ମହାପ୍ରଭୁଙ୍କୁ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ନିମେନ୍ତ ଏହି ପଇତା ଲାଗି କରାଯାଇଥାଏ । ତିନୋଟି ରଙ୍ଗର ବାସୁଙ୍ଗା ପାଟରେ ଏହି ପଇତା ଲାଗି ହୋଇଥାଏ । ପାଟରା ସେବକମାନେ ବାସୁଙ୍ଗା ପାଟନେଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳି ସେବକଙ୍କୁ ଯୋଗାଇଥାନ୍ତି । ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ପଇତାଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା । ବର୍ଷକୁ ଦୁଇଥର ଏହି ପଇତାଲାଗି ନୀତି ଅନୁଷ୍ଠିତ ହୁଏ ।
