କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ ସଂସ୍ଥାର ପେନସନ୍ଭୋଗୀଙ୍କ ବିକ୍ଷୋଭ
ବାଲେଶ୍ୱର : ଇପିଏଫ୍ ସଂସ୍ଥାରୁ ପେନସନ୍ ପାଉଥିବା ଶତାଧିକ ବରିଷ୍ଠ ନାଗରିକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାସିକ ପେନସନ୍ ସର୍ବନିମ୍ନ ୯ହଜାର ଟଙ୍କା, ଅଧିକ ବେତନକୁ ଅଧିକ ପେନ୍ସନ୍, ମାସିକ ପେନସନ୍ ସହ ମହଙ୍ଗାଭତ୍ତା ଓ ଓଡ଼ିଶାରେ ଇପିଏଫ୍ ପେନସନ୍ଭୋଗୀଙ୍କୁ ବିଜୁସ୍ୱାସ୍ଥ୍ୟ ସେବା ଯୋଜନାଭୁକ୍ତ କରିବା ଦାବିରେ ଜିଲା ପ୍ରଶାସନଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲାପାଳଙ୍କ ପକ୍ଷରୁ ଡେପୁଟି ଜିଲାପାଳ ଆନନ୍ଦ ଚନ୍ଦ୍ର ସେଠି ପ୍ରତିନିଧିମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଓଡ଼ିଶା ରାଜ୍ୟ କମିଟି ଆହ୍ୱାନରେ ଏହି ଆନ୍ଦୋଳନ କରାଯାଇଥିଲା ।
ଜିଲା ସଂଗଠନର ସଭାପତି ଇଂ. ଅନାଦି ଚରଣ ବେହେରା, ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଘରୋଇ ଶିଳ୍ପସଂସ୍ଥା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ନିଗମ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ପକ୍ଷରୁ ଜଳଧର ପଣ୍ଡା, ଶ୍ୟାମସୁନ୍ଦର ଜେନା, ଭୂପତି ଭୂଷଣ ଦାସ, ନିତ୍ୟାନନ୍ଦ ନଟ, ଶରତ ଚନ୍ଦ୍ର ଦଳାଇ, ରାଜେଶ୍ୱର ହାଲଦାର, ଅରୁଣ କମିଳା, ଇଂ. କହ୍ନେଇଲାଲ ଚୌଧୁରୀ, ପରମେଶ୍ୱର ପାତ୍ର, ଭୋଳାନାଥ ବେହେରା, ଜଗବନ୍ଧୁ ପାୟଲ୍, ଅଶୋକ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ଦଇତାରୀ ଗିରି, ଦୁର୍ଯ୍ୟୋଧନ ରଣା, ଉମାକାନ୍ତ ବେହେରା ଓ ପ୍ରଭାତ କୁମାର ନାୟକ ପ୍ରମୁଖ ଶୋଭାଯାତ୍ରା ଓ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ । ବିକ୍ଷୋଭସ୍ଥଳରେ ଆୟୋଜିତ ସଭାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ସମଗ୍ର ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଦୀର୍ଘ ୩୦/୩୫ ବର୍ଷ ଚାକିରି କରି ଅବସର ଗ୍ରହଣ କରିଥିବା ବରିଷ୍ଠ ନାଗରିକମାନଙ୍କ ଦାବିକୁ ବିଚାରକୁ ନେଉନଥିବାରୁ ସମଗ୍ର ଭାରତବର୍ଷରେ ଆଜି ଦାବି ଦିବସ ପାଳନ ହେଉଛି । ଆସନ୍ତା ଡିସେମ୍ବର ୭, ୮ ଓ ୯ ତାରିଖ ଦିନ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ସମାବେଶ ପାଇଁ ଜାତୀୟସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ବିକ୍ଷୋଭ ସ୍ଥଳରେ କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ପାତ୍ର ଆନ୍ଦୋଳନରେ ଯୋଗଦେଇଥିବା ସମସ୍ତ ପେନ୍ସନ୍ଭୋଗୀମାନଙ୍କୁ ଜିଲା କମିଟି ତରଫରୁ ଧନ୍ୟବାଦ ଦେଇଥିଲେ ।
