ଦୁଃଖି ଓ ଅସହାୟ ମଣିଷଙ୍କ ପାଇଁ ‘ଦେବଦୀପ ଫାଉଣ୍ଡେସନ’ ଉଦ୍ଘାଟିତ
ବାଲେଶ୍ୱର : ଇଶ୍ୱରଙ୍କ ସୃଷ୍ଟି ଜୀବନ ଭିତରେ ଯେତିକି ସୁଖ ଅଛି, ସେତିକି ଦୁଃଖ ମଧ୍ୟ ଅଛି । ଅନ୍ୟର ଦୁଃଖ କଷ୍ଟକୁ ନିଜର ଭାବି ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଦେବଦୀପ ଫାଉଣ୍ଡେସନର ସୃଷ୍ଟି । ମୁଖ୍ୟତଃ ନାରୀମାନେ କିପରି ପ୍ରତ୍ୟକ କ୍ଷେତ୍ରରେ ଆଗକୁ ବଢ଼ିବେ ସେଥିପାଇଁ ଦେବଦୀପ ଫାଉଣ୍ଡେସନ ସେମାନଙ୍କୁ ସହଯୋଗର ହାତ ବଢ଼ାଇବ । ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ । ନିଜର ସାମର୍ଥ୍ୟ ଅନୁଯାୟୀ ଦୁଃଖ ଓ ବିପଦ ବେଳେ ସାହା ହେବା ପାଇଁ ଦେବଦୀପ ଫାଉଣ୍ଡେସନ ଚେଷ୍ଟା କରିବ । ଆଗାମୀ ଦିନରେ ଦେବଦୀପ ଫାଉଣ୍ଡେସନ ଦୁଃଖି ଓ ଅସହାୟ ମଣିଷଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆଶ୍ୱସନା ଓ ଭରଷା ହେବ ବୋଲି ଦେବଦୀପ ଫାଉଣ୍ଡେସନର ଉଦଘାଟନ ଉତ୍ସବରେ ସଭାପତିତ୍ୱ କରି ସଂଗଠନର ଅଧ୍ୟକ୍ଷା ରଶ୍ମିରେଖା ନାୟକ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବାଲେଶ୍ୱର ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ଦେବଦୀପ ଫାଉଣ୍ଡେସନର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲେଶ୍ୱରର ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଦେବଦୀପ ଫାଉଣ୍ଡେସନକୁ ଉଦଘାଟନ କରିବା ସହ ଏଭଳି ମହତ୍ୱ ଚିନ୍ତାଧାରା ରଖି ସଂଗଠନ ଆରମ୍ଭ କରାଯାଇଥିବାରୁ ସଂଗଠନର ମୁଖ୍ୟଙ୍କୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଦୁଃଖି ଓ ଅସହାୟ ମାନଙ୍କ ପାଇଁ ଏହି ସଂଗଠନ ନିଶ୍ଚିତ ଭାବେ ଏକ ମାଇଲ ଖୁଣ୍ଟ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ପୌରପରିଷଦ ଅଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ରେମୁଣା ଏନଏସସି ଅଧ୍ୟକ୍ଷା ତନୁଜା ଗିରି ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହ ସଂଗଠନର ଚିନ୍ତାଧାରାକୁ ପ୍ରଶଂସା କରିଥିଲେ । ଶେଷରେ ଦୃଷ୍ଟିହୀନ ବିଦ୍ୟାଳୟରେ ଥିବା ସମସ୍ତ ଜ୍ୟେଷ୍ଠ ସନ୍ତାନମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇ ବିଧି ଅନୁସାରେ ପ୍ରଥମାଷ୍ଟମୀ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ରଞ୍ଜିତା ମହାପାତ୍ର, ପୂର୍ବତନ କାଉନସିଲର ଇତିକୃଷ୍ନା ସ୍ୱାଇଁ, ମିନତୀ ସେଠୀ, ସ୍ୱାଗତିକା ବାରିକ, ମୋନାଲିସା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
