କେନ୍ଦୁଝରରେ ଜାତୀୟ ପ୍ରେସ୍ ଦିବସ ପାଳିତ
କେନ୍ଦୁଝର : କେନ୍ଦୁଝର ଜିଲା ସଦର ମହକୁମାଠାରେ ଚଳିତ ନଭେମ୍ବର ୧୬ ତାରିଖ ବୁଧବାର ଦିନ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ଆଶିଷ ଠାକରେ ଉଦ୍ବୋଧନ ଦେଇ ଗଣମାଧ୍ୟମର ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ଜାତୀୟ ପ୍ରେସ୍ ଦିବସ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।
ଜାତୀୟ ପ୍ରେସ୍ ଦିବସ ଅବସରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଭାଷଣପ୍ରସଙ୍ଗରେ କହିଥିଲେ ଯେ, ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ଗଣମାଧ୍ୟମ ପ୍ରତି ଜନସାଧାରଣଙ୍କର ଗଭୀର ଆସ୍ଥା ରହିଛି । ସେମାନେ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଘାତ ପ୍ରତିଘାତ, ସମସ୍ୟା ଭିତରେ ଥାଇ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ତଥା ମହାମାରୀ କୋଭିଡ୍ ସମୟରେ ସେମାନେ ଯେଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ କର୍ତବ୍ୟ ପ୍ରତି ଅଙ୍ଗୀକାର ପ୍ରକଟ କରିଥିଲେ ତାହା ବାସ୍ତବିକ୍ ଉଲ୍ଲେଖଯୋଗ୍ୟ । ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ପ୍ରତିନିଧିମାନଙ୍କର ଭୂମିକା ସବୁବେଳେ ପ୍ରଶଂସନୀୟ ହୋଇ ରହିଆସିଅଛି । ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ବିବିଧ ଭାବରେ ଗଣମାଧ୍ୟମର ଅବଦାନ ରହିଛି । ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମାଜର ମୁଖପାତ୍ର ଭାବେ ଅଭିହିତ କରି ସେମାନଙ୍କ ଦ୍ୱାରା ପରିବେଷିତ ନିଚ୍ଛକ ସମ୍ବାଦ ପ୍ରଶାସନକୁ ସର୍ବଦା ସତର୍କ କରି ଦେଇଥାଏ ବୋଲି କହିବା ସହିତ ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ । ସରକାରୀ ସେବା ଆରମ୍ଭ ପୂର୍ବରୁ ଜିଲାପାଳ ନିଜେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରସଙ୍ଗ ଅବତାରଣା କରି ଗଣମାଧ୍ୟମର ପ୍ରତିନିଧିମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ସମ୍ବାଦ ସମାଜକୁ କିପରି ପ୍ରଭାବିତ କରିଥାଏ ସେ ସଂପର୍କରେ ଆଲୋକପାତ କରିଥିଲେ । ଗଣମାଧ୍ୟମର ପ୍ରତିନିଧିମାନେ ସାମ୍ବାଦିକତାକୁ ବୃତି ଭାବେ ନ ଭାବି ବ୍ରତ ଭାବେ ଗ୍ରହଣ କରି ବାସ୍ତବବାଦୀ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଜାରି ରଖିଲେ ସମାଜର ଅଶେଷ ହିତ ସାଧନ ହୋଇପାରିବ ବୋଲି କହିଥିଲେ । ବର୍ତମାନ ଗଣମାଧ୍ୟମର ସ୍ୱରୂପ ବଦଳିଛି । ମୁଦ୍ରଣ ଓ ବୈଦୁତିକ ଗଣମାଧ୍ୟମ ସହିତ ସାମାଜିକ ଗଣମାଧ୍ୟମ (ସୋସିଆଲ୍ ମେଡିଆ)ର ଅଭ୍ୟୁଦୟ ହୋଇଛି । ସାମାଜିକ ଗଣମାଧ୍ୟମରେ ବେଳେବେଳେ ମିଥ୍ୟା ଖବର ପ୍ରସାରିତ ହେଉଛି । ଯାହାକି ସମାଜ ପାଇଁ କ୍ଷତିକାରକ । ଏଣୁ ଗଣମାଧ୍ୟମର ପ୍ରତିନିଧିମାନେ ଖବରର ସତ୍ୟାସତ୍ୟ ପରୀକ୍ଷା କରି ଖବର ପରିବେଷଣ କଲେ ତାହା ସମାଜ ପାଇଁ ମଙ୍ଗଳମୟ ହେବ । ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ତଥା ଜିଲାର ପ୍ରଗତିରେ ଜିଲା ପ୍ରଶାସନକୁ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ସରକାର, ପ୍ରଶାସନ ଓ ଗଣମାଧ୍ୟମର ଲକ୍ଷ୍ୟ ଏକ- ତାହା ହେଲା ଜନସେବା । ଏଣୁ କେନ୍ଦୁଝର ଜିଲାବାସୀଙ୍କର ସେବା ସହ ଜିଲାର ଉନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କର ସହଯୋଗ କାମନା କରିଥିଲେ । ଏହି ସମାରୋହରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜାତୀୟ ପ୍ରେସ୍ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣରେ ଜାତୀୟ ପ୍ରେସ୍ ଦିବସ ପାଳନର ଉଦ୍ଦେଶ୍ୟ ଓ ଅନୁଚିନ୍ତା ସଂପର୍କରେ ଆଲୋକପାତ କରି ଗଣମାଧ୍ୟମର ପ୍ରତିନିଧିମାନେ ସମାଜର ଉଲ୍ଲେଖନୀୟ ସେବା କରୁଛନ୍ତି ବୋଲି କହିଥିଲେ । ଦୁର୍ଗମ, ଅପହଂଚ ଇଲାକାରେ ଗଣମାଧ୍ୟମର ପ୍ରତିନିଧିମାନେ ପହଂଚି ବିଭିନ୍ନ ସମସ୍ୟା ଦୃଷ୍ଟିକୁ ଆଣୁଥିବାରୁ ତାର ସମାଧାନ ସହଜ ହେଉଛି । ଗଣମାଧ୍ୟମ ହେଉଛି ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସେତୁ ଓ ସମାଜର ଦର୍ପଣ ବୋଲି କହିଥିଲେ । ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଉତମ ସମନ୍ୱୟ ରହିଲେ ସମାଜ ଓ ଜିଲ୍ଲାର ଅଶେଷ କଲ୍ୟାଣସାଧିତ ହୋଇପାରିବ ବୋଲି କହିଥିଲେ । ପ୍ରେସ୍ କ୍ଲବ୍ର ସଭାପତି ନିରଞ୍ଜନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟରେ ସାମ୍ବାଦିକତାର ନୀତିଶାସ୍ତ୍ର ଏବଂ ସମ୍ବାଦ ପରିବେଷଣ-ବ୍ୟାଖ୍ୟାନ ସଂପର୍କରେ ଆଲୋକପାତ କରି ଗଣମାଧ୍ୟମର ସମ୍ମାନ ଓ ମର୍ଯ୍ୟାଦା ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ । ଏତଦ୍ବ୍ୟତୀତ ଗଣମାଧ୍ୟମର ପ୍ରତିନିଧିମାନେ କର୍ତବ୍ୟ ନିର୍ବାହ ବେଳେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିବନ୍ଧକ, ସମସ୍ୟା, ସାମ୍ବାଦିକମାନଙ୍କର ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ ଏବଂ ମୁକ୍ତ ଓ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ପ୍ରେସ କ୍ଲବ୍ର ସଂପାଦକ ଶରତ ଚନ୍ଦ୍ର ଦାସ ନିଜ ବକ୍ତବ୍ୟରେ ଜାତୀୟ ପ୍ରେସ୍ ଦିବସ ପାଳନର ପୁଷ୍ଟଭୂମି ଓ ଆଭିମୁଖ୍ୟ ସଂପର୍କରେ ବିଶଦଭାବେ ଆଲୋଚନା କରି ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କହିଥିଲେ । ଗଣମାଧ୍ୟମ ସଙ୍କୁଚିତ ହେଲେ ତାହା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି ଶୁଭଙ୍କର ନୁହେଁ । ଏଣୁ ମୁକ୍ତ, ନିରପେକ୍ଷ ଓ ପ୍ରଭାବଶାଳୀ ଗଣମାଧ୍ୟମ ଉପରେ ଗୁରୁତ୍ୱାରୋପ କରି ଜାତୀୟ ପ୍ରେସ୍ ଦିବସ ଏ ଦିଗରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏତଦ୍ବ୍ୟତୀତ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏତଦ୍ବ୍ୟତୀତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ପ୍ରଣୟ ପାଣି ଓ ସୁବ୍ରତ ସ୍ୱାଇଁ ପ୍ରମୁଖ ପ୍ରମୁଖ ଜାତୀୟ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ, ଗଣମାଧ୍ୟମ ପ୍ରତିନିଧିମାନଙ୍କର ସମାଜ ପ୍ରତି ପ୍ରତିବଦ୍ଧତା, ସାମ୍ବାଦିକମାନଙ୍କର ସୁରକ୍ଷା, ନିରାପତା ଓ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
