ମାଧବରୁ ମହୋଦଧି କୂଳ ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର
ପୁରୀ : ନିଆଳି ମାଧବ ପ୍ରାଚୀ କ୍ଷେତ୍ରରୁ ପୋଢୁଆଁ ଭାର ଶ୍ରୀକ୍ଷେତ୍ରରେ ପହଞ୍ଛିଛି । ପୋଢୁଆଁ ଭାରରେ ପାଟବସ୍ତ୍ର, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ଚନ୍ଦନକାଠ, କର୍ପୂର, ଅଗୁର, ଜାଇଫଳ, ପାନ, ଗୁଆ, ପାନ, ଅଳେଇଚ, ଲବଙ୍ଗ, ବିଭିନ୍ନ ପ୍ରକାର ଫଳମୂଳ, ତୁଳସୀ ଓ ପଦ୍ମଫୁଲ ଆସିଥିଲା । ଶୋଭାଯାତ୍ରା ଆଗରେ ଭୋଇ ସେବକମାନେ ପତକା ଧରି ଆସିଥିଲେ । ଢୋଲିଆ ଓ ମହୁରିଆ ମଙ୍ଗଳ ବାଦ୍ୟ ବଜାଇଥିଲେ । ଗଡ଼ୁଆ ସେବକମାନେ ପାଇକ ଆଖଡ଼ା ପ୍ରଦର୍ଶନ କରିଥିଲେ । ଏହା ସହ ରାମ ତାଳି ଓ ଲହୁଡ଼ି ପ୍ରଦର୍ଶିତ ହୋଇଥିଲା । ୫୦ରୁ ଅଧିକ ସଂକୀର୍ତନ ଦଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ୧୪ ଜଣ ବେହେରା ଦିବ୍ୟ ଭାର ଧରି ଆସିଥିଲେ । ଗୁଣ୍ଡିଚା ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଆଜି ଉତ୍କଳ ଯାଦବ ମହାସଭା ପକ୍ଷରୁ ଏକଲକ୍ଷ ପିଠା ବଂଟନ କରାଯିବ ।
ଶ୍ରୀମନ୍ଦିରରେ ପୂଜା ପାଇଥିବା ଶ୍ରୀଜୀଉ ମାନଙ୍କର ମାମୁଁ ଘର ଏହି ମାଧବାନନ୍ଦଜୀଉ ପୀଠ ବୋଲି କୁହାଯାଏ। ପୂର୍ବେ ଏହି ପରମ୍ପରା ଅନୁଯାୟୀ ଏଠାରୁ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଯାଉଥିଲା। ହେଲେ ଗତ କିଛି ବର୍ଷ ଧରି ତାହା ବନ୍ଦ ରହିଥିଲା। ଗତ ୪ ବର୍ଷ ଧରି ସେହି ପରମ୍ପରାକୁ ପୁନଃ ଚାଲୁ କରାଯାଇଛି।ଏଠାରୁ ଅଷ୍ଟମୀ ପୂର୍ବଦିନ ସପ୍ତମୀ ତିଥିରୁ ଭାର ଯାଉଛି। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀସୁଦର୍ଶନଙ୍କ ସମେତ ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନଙ୍କୁ ମିଶାଇ ମୋଟ ସାତ ଦିଅଁଙ୍କ ପାଇଁ ପୋଢ଼ୁଆଁ ଭାର ଯାଉଛି।
ଯାଦବ ମହାସଂଘର ସଂଯୋଜକ ତ୍ରିଲୋଚନ ବେହେରା କହିଛନ୍ତି, ଦିନକୁ ଦିନ ଏହି କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଓ ଆଦର ବୃଦ୍ଧି ପାଉଛି। ବିଭିନ୍ନ ଅଂଚଳରୁ ଶ୍ରଦ୍ଧାଳୁ ସ୍ୱତଃ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗର ହାତ ବଢାଉଛନ୍ତି। ବହୁ ସଂଖ୍ୟକ ସଂକୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯାଦବ ମହାସଂଘ ପକ୍ଷରୁ ଲକ୍ଷେ ପିଠା ପ୍ରସ୍ତୁତ କରାଯାଇଛି। ଏହାକୁ ବଡ଼ଦାଣ୍ଡରେ ବଣ୍ଟା ଯାଇଛି। ଏହି ଅବସରରେ ବାଟରେ ଶ୍ରଦ୍ଧାଳୁଙ୍କୁ ଦହି ବଂଟନ କରାଯାଇଥିଲା। ବାଟସାରା ବହୁ ସ୍ଥାନରେ ଶୋଭାଯାତ୍ରାକୁ ବନ୍ଦାପନା କରି ସ୍ୱାଗତ କରାଯାଇଥିଲା।
