ପଦ୍ମପୁର ଉପନିର୍ବାଚନ : କମିଲା ମତଦାନ ସମୟ
ଭୁବନେଶ୍ୱର : ପଦ୍ମପୁର ଉପ-ନିର୍ବାଚନ ପାଇଁ ମତଦାନ ଅବଧି ହ୍ରାସ କରାଯାଇଛି । ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଂଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ଶୀତ ଦିନ ଏବଂ ମାଓବାଦୀ ଅଂଚଳ ହୋଇଥିବାରୁ ଭୋଟିଂ ସମୟ ହ୍ରାସ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।
ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏହି ନିଷ୍ପତି ହୋଇଥିଲା । ପୂର୍ବରୁ ସକାଳ ୭ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯାଉଥିଲା । ତେବେ ଭାରତୀୟ ଜନତା ପାର୍ଟି ଭୋଟ ଦାନ କରିବା ପାଇଁ ଆଉ ଏକ ଘଂଟା ସମୟ ବଢ଼ାଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ସମୟ ଧାର୍ଯ୍ୟ କରିବା ପାଇଁ ଦାବି କରିଛି ।
ପଦ୍ମପୁର ଉପନିର୍ବାଚନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଲୋହାନୀ କହିଥିଲେ ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ ୪୦ ଜଣ ତାରକା ପ୍ରଚାରକ ଏବଂ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ମାନେ ୨୦ ଜଣ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ । ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍ ରେ ତିନିଥର ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ । ସେହିପରି ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସଂପର୍କରେ ଦଳ ତରଫରୁ ଅତିକମ୍?ରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ୪ ଦିନ ମଧ୍ୟରେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୫ମରୁ ୮ମ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୯ମ ଦିନରୁ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ପ୍ରଚାରପ୍ରସାର କରିବେ । ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍ ରେ ୱେବ୍ କାଷ୍ଟିଙ୍ଗ୍ କରାଯିବା ସହ ଉତେଜନାପ୍ରବଣ ବୁଥ୍ମାନଙ୍କରେ ୩୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଉପନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ୱାରା ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳଙ୍କୁ ନିଯୁକ୍ତ କରାଯାଇଛି । ଏତଦ୍ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଭୋଟଗ୍ରହଣ ଦିନକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ଓ ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।
ପଦମ୍ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୨୫୭୪୭୪ ଜଣ ଭୋଟର ଅଛନ୍ତି, ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଓ ୧୨୭୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି । ପଦମ୍ପୁର ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍ ରେ ଭୋଟଗ୍ରହଣ କରାଯିବ ଓ ବୁଥ୍ ରେ ସର୍ବାଧିକ ୧୫୦୦ ଜଣ ମତଦାତା ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ରମାରଞ୍ଜନ ବଳିୟାରସିଂହ ଓ ଲିଗାଲ୍ ସେଲର ଜୟନ୍ତ କୁମାର ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ ଓ ଭାରତୀୟ ଜତୀୟ କଂଗ୍ରେସର ଶିବାନନ୍ଦ ରାୟଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲେ ।
