ଚିଟଫଣ୍ଡ ଠକେଇ ମାମଲା : ଗୌରବ ଅଗ୍ରୱାଲଙ୍କୁ ଆମିକସ୍ କ୍ୟୁରୀ ନିଯୁକ୍ତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଚିଟଫଣ୍ଡ ଠକେଇ ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସ୍ କ୍ୟୁରୀ ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଅନ୍ୟପକ୍ଷରେ ଆଫିଡେଭିଟ ଦାଖଲ ପାଇଁ ସିବିଆଇ ସମୟ ମାଗିଥିବାରୁ ନଭେମ୍ବର ୨୫ ସୁଦ୍ଧା କାଉଂଟର ଆଫିଡେଭିଟ ଦାଖଲ ପାଇଁ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଚିଟ୍ଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟରେ ସୋମବାର ସମୟ ମାଗିଲା ସିବିଆଇ । ୨୫ ନଭେମ୍ବର ସୁଦ୍ଧା ପ୍ରତି ସତ୍ୟପାଠ (କାଉଂଟର ଏଫିଡେଭିଟ୍) ଦେବାକୁ ସିବିଆଇକୁ ସମୟ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଡିସେମ୍ବର ୧ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ । ଏହାଛଡ଼ା ଏହି ମାମଲାରେ ଆଜି ଆମିକସକ୍ୟୁରୀ ନିଯୁକ୍ତି କଲେ କୋର୍ଟ । ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଆମିକସକ୍ୟୁରୀ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଏମ.ଆର ସାହା ଓ ବିଚାରପତି କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ନିବେଷକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ ଇତି ମଧ୍ୟରେ କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରୁଛନ୍ତି । ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି, ଇତିମଧ୍ୟରେ ୯ ବର୍ଷ ବିତି ଗଲାଣି । ଅନେକ ସମ୍ପତି ବ୍ୟାଜପ୍ତ ହେଲାଣି । ଜଣେ ହେଲେ ନିବେଶକଙ୍କୁ ଅର୍ଥ ଫେରାଯାଇନି । ଏହିମାମଲାରେ ଅଦାଲତ ତୁରନ୍ତ ହସ୍ତକ୍ଷେପ କରିବାକୁ ପ୍ରଶାନ୍ତ ଭୂଷଣ ଖଣ୍ଡପୀଠଙ୍କୁ ଜଣାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ଜନସ୍ୱାର୍ଥ ମାମଲା ପିଟିସନ ଦାଖଲ କରାଯାଇଛି । ଓଡ଼ିଶାର ଚିଟଫଣ୍ଡ ଠକେଇରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଇଛି । ୪୪ଟି ଚିଟ୍ଫଣ୍ଡ କମ୍ପାନୀ ବିରୋଧରେ ୨୦୧୪ ମସିହାରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ସିବିଆଇ ତା’ର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ ଯେ ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ଜାଣିବାକୁ ଚାହିଁଥିଲେ କୋର୍ଟ । ଏନେଇ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏମ.ଆର.ଶାହ ଏବଂ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ସାମ୍ୱିଧାନିକ ଖଣ୍ଡପୀଠର ମାମଲାର ଶୁଣାଣି କରିଛନ୍ତି । ଆସନ୍ତା ଡିସେମ୍ୱର ୧ରେ ମାମଲାର ପରବର୍ତୀ ଶୁଣାଣି ହେବ ।
