ଓଡ଼ିଶା ଗବେଷଣା ସମ୍ମେଳନ-୨୦୨୨ ଉଦଘାଟିତ
ଭୁବନେଶ୍ୱର : କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ସହଯୋଗରେ ସୋମବାର ପୂର୍ବାହ୍ନରେ ଓଡ଼ିଶା ଗବେଷଣା ସମ୍ମିଳନୀ ଉଦ୍ଘାଟିତ ହୋଇଛି । ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ପିଏଚ୍ ଡ଼ି ଗବେଷଣାରତ ତଥା ଯୁବ ଅଧ୍ୟାପକମାନଙ୍କ ଜ୍ଞାନ ପ୍ରଦର୍ଶନ କରିବାର ଏକ ଅପୂର୍ବ ସୁଯୋଗ ପ୍ରଦାନ କରୁଛି । ଏହା ରାଜ୍ୟର ଉଚ୍ଚଶିକ୍ଷାର ରୂପାନ୍ତରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ବିଶ୍ୱବାତାୟନରେ ପ୍ରତିଷ୍ଠିତ କରିବାରେ ନିଶ୍ଚିତ ଭାବେ ମାଇଲଖୁଂଟ ହୋଇରହିବ । ପ୍ରୋତ୍ସାହନ ଓ ପ୍ରେରଣା ଜରିଆରେ ଓଡ଼ିଶାର ଯୁବପିଢ଼ି ନିଶ୍ଚିତ ରୂପେ ଗବେଷଣାମନସ୍କ ହୋଇପାରିବେ ।
ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀର ବରିଷ୍ଠ ବୈଜ୍ଞାନିକ ତଥା ପୁଣେଠାରେ ଅବସ୍ଥିତ ଭାରତୀୟ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନର ପ୍ରଫେସର ସ୍ୱାମୀନାଥନ ଶିବରାମ୍ ତାଙ୍କର ବକ୍ତବ୍ୟରେ ଗବେଷଣାର ସଫଳତା ଅନ୍ୱେଷା, ଜିଜ୍ଞାସା, ଅଧ୍ୟବସାୟ ଓ ନିରନ୍ତର ପ୍ରୟାସ ଦ୍ୱାରା ସମ୍ଭବ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉଚ୍ଚଶିକ୍ଷା ବିଭାଗର ଗବେଷଣା ପ୍ରତି ଦୃଷ୍ଟିକୋଣ ତଥା ପ୍ରୋତ୍ସାହନ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ନାୟକ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ସା୍ନତକୋତର ଶିକ୍ଷା ପରିଷଦ ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟାପକ-ଅଧ୍ୟାପିକା ଓ ଗବେଷକ-ଗବେଷିକାମାନଙ୍କ ଦ୍ୱାରା ପ୍ରସ୍ତୁତ ଗବେଷଣାଭିତିକ ଅନୁସନ୍ଧାନର ପ୍ରଦର୍ଶନ, ପ୍ରସାର ଓ ସମାଜସଂପୃକ୍ତି ଏହି ତିନିଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ପ୍ରତିଷ୍ଠିତ ଗବେଷକମାନଙ୍କ ଦ୍ୱାରା ବିବିଧ ବିଷୟଭିତିକ ଗବେଷଣାର ସାରସଂକ୍ଷେପ ଉପସ୍ଥାପନ ଏବଂ ପ୍ରାୟ ୫୫୦ଟି ପୋଷ୍ଟର ସମ୍ବଳିତ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି । ବିଭିନ୍ନ ବିଷୟ ବିଶେଷଜ୍ଞମାନଙ୍କ ମୂଲ୍ୟାୟନ ପରେ ଶ୍ରେଷ୍ଠ ବିବେଚିତ ଗବେଷକମାନଙ୍କୁ ପୁରସ୍କୃତ କରାଯିବ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏହି ସମ୍ମିଳନୀରେ ବିବିଧ ସଂପାନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
