କଳଙ୍କିତ ମନ୍ତ୍ରୀ ଅଖିଳ ଗିରିଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇ ଗିରଫ କରାଯାଉ : ସ୍ମୃତି ପଟ୍ଟନାୟକ
ରାଷ୍ଟ୍ରପତିଙ୍କୁ ଟିଏମ୍ସି ମନ୍ତ୍ରୀ ଅଖିଳ ଗିିରିଙ୍କ ଅସମ୍ମାନ
ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ଓ ଥାନାରେ ଏତଲା
ଭୁବନେଶ୍ୱର : ଦେଶର ପ୍ରଥମ ଆଦିବାସୀ ଓ ଓଡିଆ ମହିଳା ଶ୍ରୀମତୀ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ମାତ୍ରେ ତୃଣମୂଳ କଂଗ୍ରେସ ଘୃଣା, ଉପହାସ କରିଛି । ମହିଳା ଓ ଜନଜାତି ବିରୋଧୀ ଅସହିଷ୍ଣୁ ତୃଣମୂଳ କଂଗ୍ରେସ ଅଭଦ୍ରାମୀର ଚରମ ସୀମା ଅତିକ୍ରମ କରିଛି । ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତିଭାବେ ଅଧିଷ୍ଠିତ ହୋଇଥିବା ଜନଜାତି ବର୍ଗର ମହିଳାଙ୍କ ‘ବର୍ଣ୍ଣକୁ’ ନେଇ ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳାଶକ୍ତିକୁ ପଦାରେ ପକାଇଛି । ଶ୍ରୀ ଗିରି ‘ବର୍ଣ୍ଣ’ କଥା ଉଠାଇ କେବଳ ରାଷ୍ଟ୍ରପତିଙ୍କୁ ଉପହାସ କରିନାହାନ୍ତି ବରଂ ରାଷ୍ଟ୍ରର ସମ୍ବିଧାନ, ରାଷ୍ଟ୍ରର ଗଣତନ୍ତ୍ର, ରାଷ୍ଟ୍ରର ମର୍ଯ୍ୟାଦା ଏବଂ ରାଷ୍ଟ୍ରବାସୀଙ୍କୁ ଉପହାସ କରିଛନ୍ତି । ଶ୍ରୀ ଗିରିଙ୍କ ଟିପ୍ପଣୀ ଅତ୍ୟନ୍ତ ଲଜ୍ଜାଜନକ ଓ ସମ୍ବୋଧନ ସର୍ବୋଚ୍ଚ ସାମ୍ବିଧାନିକ ପଦର ଗାରିମା କ୍ଷୁର୍ଣ୍ଣ କରୁଛି । ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ଜଣେ ମହିଳା ଓ ଜନଜାତି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ସାଢ଼େ ଚାରିକୋଟି ଓଡିଆଙ୍କୁ ଗଭୀର ଆଘାତ ଦେଇଛି । ଯଥାଶୀଘ୍ର କଳଙ୍କିତ ମନ୍ତ୍ରୀ ଶ୍ରୀ ଗିରିଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇ ଗିରଫ କରିବାକୁ ଜିଲ୍ଲା ବିଜେପି ଦାବି କରିଛି ।
ବିଭିନ୍ନ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢିବାକୁ ଚାହୁଁଥିବା ପ୍ରତି ବ୍ୟକ୍ତିର ଆଦର୍ଶ ହେଉଛନ୍ତି ମହାମହିମ୍ ରାଷ୍ଟ୍ରପତି ତଥା ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ଜୀବନବ୍ୟାପୀ ସଂଘର୍ଷ ଓ ସାଧନା ପରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯାଏଁ ଯାତ୍ରା କରିଛନ୍ତି । କଳଙ୍କିତ ମନ୍ତ୍ରୀ ଶ୍ରୀ ଗିରି ବର୍ଣ୍ଣ ଓ ରଙ୍ଗର କଥା କହି କେବଳ ଯେ ରାଷ୍ଟ୍ରପତିଙ୍କୁ ଅପମାନିତ କରିନାହାନ୍ତି, ବରଂ ଆମ ସମସ୍ତଙ୍କ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଅପମାନିତ କରିଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ପ୍ରତି ଆଶାଳୀନ, ଅଭଦ୍ର ଓ ଆଇନ ବିରୋଧୀ ମନ୍ତବ୍ୟ ଦେଇ କରିଥିବା ଧର୍ତବ୍ୟ ଅପରାଧ ବିରୋଧରେ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ତରଫରୁ ଜିଲ୍ଲା ଏସଟି ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମାଳତି ହେମ୍ବ୍ରମ ଆଜି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସେହିପରି ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ମଧ୍ୟ ମହିଳା ଥାନାରେ ଏଫଆଇଆର ଦିଆଯିବା ସହିତ ରାଜ୍ୟ କାର୍ଯ୍ୟାଳୟରୁ ରାମମନ୍ଦିର ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନି ପାତ୍ର, ରାଜ୍ୟ ଉପସଭାପତି କାନନବାଳା ପଟ୍ଟନାୟକ, ନିୟତି ଗିରି, କସ୍ତୁରୀ ମିଶ୍ର, ସୁବାସିନୀ ପୃଷ୍ଟି, ଶତରୂପା ମିଶ୍ର, ସୁଚିତ୍ରା ଜେନାମଣୀ, ତୃପ୍ତିମୟୀ ମକଦ୍ଦମ, ଉନ୍ନତି ପରିଡା, ଲିପା ଦାସ, ଗିତାଞ୍ଜଳୀ ଦାସ, ଗିତାରାଣୀ ବେହେରା, ଜ୍ୟୋତିମୟୀ ଅଗ୍ରଓ୍ôାଲ ପ୍ରମୁଖ ସାମିଲ ଥିଲେ ।
