ପୁଣି ଥରେ ଭୂକମ୍ପରେ ଦୋହଲିଲା ଦିଲ୍ଲୀ
ନୂଆଦିଲ୍ଲୀ: ପୁଣି ଥରେ ଭୂକମ୍ପରେ ଦୋହଲିଲା ଜାତୀୟ ରାଜଧାନୀ ଦିଲ୍ଲୀ। ଶନିବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନସିଆରରେ ପ୍ରାୟ ୧୦ ସେକେଣ୍ତ ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଧାଇଁ ଆସିଥିଲେ। ତେବେ ଏହି ଭୂକମ୍ପର କେନ୍ଦ୍ର ନେପାଳରେ ଥିବା ଜଣା ପଡିଛି। ଗତ ୪ ଦିନରେ ନେପାଳରେ ୪ ଥର ଭୂକମ୍ପ ହୋଇଥିବା ସୂଚନା ମିଳିଛି।
ଶନିବାର ପ୍ରାୟ ୮ଟାରେ ଦିଲ୍ଲୀ-ଏନସିଆରରେ ଭୁକମ୍ପ ଅନୁଭୂତ ହୋଇଛି। ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। National Center for Seismology ଅନୁସାରେ, ନେପାଳରେ ସନ୍ଧ୍ୟା ୭ଟା ୫୭ରେ ୫.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ଗଭୀରତା ଭୂଗର୍ଭରେ ୧୦ କିଲୋମିଟର ଥିଲା। ତେବେ ଶନିବାରର ଭୂକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ସ୍ଥାନୀୟ ପ୍ରଶାସନ କହିଛି। ଅନ୍ୟପଟେ ଶନିବାର ସନ୍ଧ୍ୟାରେ ଉତ୍ତରାଖଣ୍ଡରେ ଦୁଇଥର ଭୂମିକମ୍ପ ହୋଇଛି।
ମିଳିଥିବା ସୂଚନାନୁସାରେ, ଶନିବାର ଉତ୍ତରାଖଣ୍ତରେ ତିନି ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ସନ୍ଧ୍ୟା ୪ଟା ୨୫ରେ ଅନୁଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଏହା ପୂର୍ବରୁ ମୃଦୁ ଭୂକମ୍ପ ହୋଇଥିଲା। ଉଭୟ ଭୂକମ୍ପର କେନ୍ଦ୍ର ଋଷିକେଶ ଥିବା ସୂଚନା ମିଳିଛି। ଭୂବିଜ୍ଞାନୀଙ୍କ ଅନୁସାରେ, ଭୂକମ୍ପ ପାଇଁ ଉତ୍ତରାଖଣ୍ଡ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ, ସେଥିପାଇଁ ଏଠାରେ ବାରମ୍ବାର ଭୂକମ୍ପ ଆସୁଛି। ଏହା ବ୍ୟତୀତ ନେପାଳରେ ଅନୁଭୂତ ହେଉଥିବା ଭୂକମ୍ପର ଝଟକାର ପ୍ରଭାବ ମଧ୍ୟ ଭାରତର ସୀମାନ୍ତ ରାଜ୍ୟରେ ଦେଖିବାକୁ ମିଳୁଛି।
ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପର ଭୟଙ୍କର ଝଟକା ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂକମ୍ପର କେନ୍ଦ୍ର ପଡୋଶୀ ଦେଶ ନେପାଳ ଥିଲା। ପ୍ରାୟ ଏକ ମିନିଟ୍ ପର୍ଯ୍ୟନ୍ତ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳ ବ୍ୟତୀତ ୟୁପି-ଉତ୍ତରାଖଣ୍ଡ, ବିହାର, ହରିୟାଣା ଏବଂ ମଧ୍ୟପ୍ରଦେଶରେ ଭୂକମ୍ପରେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ନେପାଳର କାଲୁଖେଟିରେ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ତଳେ ଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୬.୩ ବୋଲି ମାପ ଯାଇଛି। ରାତି ପ୍ରାୟ ଗୋଟେ ୫୭ ମିନିଟ ସମୟରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।
ସେହିଦିନ ୨୪ ଘଣ୍ଟା ମଧ୍ୟରେ ନେପାଳରେ ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା। ତିନୋଟି ଭୂକମ୍ପ ମଧ୍ୟରୁ ଦୁଇଟିର ତୀବ୍ରତା କମ ଥିବା ବେଳେ ଗୋଟିଏ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ସୋମବାର ରାତି ପ୍ରାୟ ୮ଟା ୫୨ରେ ପ୍ରଥମ ଭୁକମ୍ପ (୪.୯ ମ୍ୟାଗ୍ନିଚ୍ୟୁଡ୍) ଅନୁଭୂତ ହୋଇଥିଲା। ଦ୍ୱିତୀୟ ଭୂକମ୍ପ (୬.୩ ମ୍ୟାଗ୍ନିଚ୍ୟୁଡ) ପ୍ରାୟ ଗୋଟେ ୫୭ ମିନିଟରେ ହୋଇଥିଲେ। ଏହାର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡର ପିଥୋରାଗଡ ଠାରୁ ୯୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଥିଲା। ଯାହାର କମ୍ପନ ଦିଲ୍ଲୀ, ଗାଜିଆବାଦ, ନୋଏଡା, ଗୁରୁଗ୍ରାମ ଏବଂ ଲକ୍ଷ୍ନୌରେ ମଧ୍ୟ ଅନୁଭୂତ ହୋଇଥିଲା। ଏହାପରେ ମଧ୍ୟ ରାତ୍ରି ୨ଟା ୧୨ରେ ତୃତୀୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଅନ୍ୟ ଦୁଇଟି ଠାରୁ ଅତ୍ୟନ୍ତ ଶକ୍ତିଶାଳୀ (୬.୬ ମ୍ୟାଗ୍ନିଚ୍ୟୁଡ) ଥିଲା। ତୃତୀୟ ଶକ୍ତିଶାଳୀ ଭୂକମ୍ପ ପ୍ରଭାବରେ ନେପାଳ ଦୋତି ଜିଲ୍ଲାର ପୁରବିଚୁକି ଗ୍ରାମରେ କାନ୍ଥ ପଡି ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା।
