କେନାଲକୁ ଖସିଲା ବସ : ତିନି ଶିଶୁ ସମେତ ୨୨ ମୃତ, ୬ ଗୁରୁତର
କାଇରୋ : ଇଜିପ୍ଟର ନୀଳ ନଦୀ ଡେଲଟା ଅଞ୍ଚଳରେ ଶନିବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ ବସ୍ କେନାଲରେ ଖସିପଡି ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଶେରିଫ ମେକେନ କହିଛନ୍ତି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରାଜଧାନୀ କାଇରୋର ଉତ୍ତର-ପୂର୍ବଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଡାକାଲିଆ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି।
ଇଜିପ୍ଟର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡାକାଲିଆ ପ୍ରଦେଶର ଆଗାସ୍ଥିତ ମନସୌରା କେନାଲକୁ ବସ ଖସି ପଡିବାରୁ ପ୍ରାୟ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଛଅ ମହିଳା ଓ ତିନି ଶିଶୁ ଅଛନ୍ତି। ଅନ୍ୟ ୬ ଜଣ ଗୁରୁତର ଅଛନ୍ତି। ଉଭୟ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟିଅରିଂରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ବସରେ ୪୬ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ଥିବା କୁହାଯାଉଛି।
ସେପଟେ ଇଜିପ୍ଟର ସାମାଜିକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଦୁର୍ଘଟଣାରେ ପରିବାରର ରୋଜଗାରିଆ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲେ ପ୍ରାୟ ୩ ଲକ୍ଷ ୬୬ ହଜାର ଟଙ୍କା ଓ ଅନ୍ୟମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କା ଦିଆଯିବ। ସେହିପରି ଆହତଙ୍କୁ ୧୫ ହଜାର ଲେଖାଏ ମିଳିବ। ଏହା ବ୍ୟତୀତ ମୃତକଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ ଯୋଜନା ଅନୁସାରେ ଅତିରିକ୍ତ ଆର୍ଥିକ ସହାୟତା ଓ ଚାକିରି ଦିଆଯିବ।
ଇଜିପ୍ଟରେ ସଡକ ଦୁର୍ଘଟଣା ଏକ ସାଧାରଣ କଥା। ଏଠାରେ ଖରାପ ସଡକ ପାଇଁ ସର୍ବାଧିକ ଦୁର୍ଘଟଣା ଘଟିଥାଏ। ପ୍ରାୟତଃ ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଲୋକଙ୍କ ଜୀବନ ଯାଉଛି ଏବଂ ଡ୍ରାଇଭିଂ ନିୟମ ମଧ୍ୟ ପ୍ରଭାବିତ ହେଉଛି। ସରକାରୀ ଆକଳନ ଅନୁଯାୟୀ ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ସାତ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଗତ ଜୁଲାଇ ମାସରେ କେନ୍ଦ୍ରୀୟ ଇଜିପ୍ଟରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଥିଲେ। ଗୋଟିଏ ବସ ଓ ଟ୍ରକ ମଧ୍ୟରେ ଧକା ହେବା ଫଳରେ ଏହି ଅଘଟଣ ଘଟିଥିଲା।
