ଆଜି ଓଡ଼ିଆ ଭାଷାରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହିର ଲୋକାର୍ପଣ କରିବେ ରାଷ୍ଟ୍ରପତି
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଇ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିବେ । ଏହାବ୍ୟତୀତ ରାଷ୍ଟ୍ରପତି ନିଜେ ପଢୁଥିବା ୟୁନିଟ୍ ୨ ବାଳିକା ଉଚ୍ଚବିଦ୍ୟାଳୟ ଓ ଖଣ୍ଡଗିରି ସ୍ଥିତ ତପୋବନ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ପ୍ରସ୍ତୁତ ଇଞ୍ଜିନିୟରିଂ ବହି ସମେତ ଅନେକ ଉପକ୍ରମର ଲୋକାର୍ପଣ କରିବେ ।ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲ ‘ଇ-କୁମ୍ଭ’କୁ ଉନ୍ମୋଚନ କରିବା ସହ ଓଡ଼ିଆ ଭାଷାରେ ସିଏସଟିଟି ଦ୍ୱାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗଦେବେ ।
ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱର ଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର(ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ । ବିଶେଷ ଭାବରେ ଅପହଂଚ ଅଂଚଳର ପଢ଼ୁଥିବା ଇଞ୍ଜିନିୟର ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିବା ସହ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ ।
