ଉଜ୍ୱୈନରେ ସ୍ଥାପିତ ହେବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ! ଜାଣନ୍ତୁ ଏହା କିପରି କରିବ କାମ ଓ କ’ଣ ରହିଛି ଗୁରୁତ୍ୱ
ନୂଆଦିଲ୍ଲୀ : ଧାର୍ମକ ନଗରୀ ଉଜ୍ୱୈନ ଠାରେ ସ୍ଥାପିତ ହେବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା। ଏହି ସହରକୁ ସମଗ୍ର ବିଶ୍ୱରେ ସମୟ ଗଣନା କେନ୍ଦ୍ର ଭାବରେ ବିବେଚନା କରାଯାଏ। ଏହି ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶ ସରକାର ପ୍ରାୟ ୧.୫୮ କୋଟି ଟଙ୍କା ଖର୍ଚ୍ଚ କରିବେ। ବୈଦିକ ଘଡ଼ି ପ୍ରକଳ୍ପ ପାଇଁ ନିକଟରେ ଭୂମି ପୂଜନ କରିଛନ୍ତି ମଧ୍ୟ ପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ଥାନୀୟ ବିଧାୟକ ଡକ୍ଟର ମୋହନ ଯାଦବ। ଏହି ଘଣ୍ଟାକୁ ଗୁଡ଼ି ପଡ଼ୱା ଅବସରରେ ଜନ୍ତର ମନ୍ତର ପର୍ଯ୍ୟବେକ୍ଷଣ ଠାରେ ସ୍ଥାପନ କରାଯିବ।
ଧର୍ମ ନଗରୀ ଉଜ୍ୱୈନରେ ବୈଦିକ ଘଣ୍ଟା ସ୍ଥାପନ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ମୋହନ ଯାଦବ। ଏନେଇ ମନ୍ତ୍ରୀ କହିଛନ୍ତି ପ୍ରାଚୀନ ଭାରତରେ ସମୟ ଗଣନା ଅତ୍ୟନ୍ତ ଶୁଦ୍ଧ ପ୍ରଣାଳୀରେ କରାଯାଇଥିଲା। ସମୟ ସମୟରେ ଉଜ୍ୱୈନ ନଗରୀରେ ଅନେକ ଜ୍ୟୋତିର୍ବିଜ୍ଞାନୀ ରହୁଥିଲେ। ଯେଉଁମାନେ ସମୟ, ଘଣ୍ଟା, ନକ୍ଷତ୍ର, ତିଥି ଏବଂ ତାରିଖକୁ ଅତି ସଠିକ୍ ଭାବରେ ଗଣନା କରୁଥିଲେ। ବର୍ତ୍ତମାନ ସରକାରୀ ଜିୱାଜୀ ପର୍ଯ୍ୟବେକ୍ଷଣ ଠାରେ ସ୍ଥାପିତ ଯନ୍ତ୍ରରେ ସୂର୍ଯ୍ୟଙ୍କ ସ୍ଥିତି, ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟାସ୍ତ ସମୟ ବିଷୟରେ ସଠିକ୍ ସୂଚନା ପ୍ରଦାନ କରାଯାଉଛି।
ଏଠାରେ ନିର୍ମିତ ବୈଦିକ ଘଣ୍ଟାକୁ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ମୋବାଇଲ୍, ଏଲଇଡି, ସ୍ମାର୍ଟ ଟିଭି, ଟ୍ୟାବ୍, ଡିଜିଟାଲ୍ ଘଣ୍ଟା ଜରିଆରେ ଦେଖାଯାଇ ପାରିବ। ଏହି ଘଣ୍ଟାର ପୃଷ୍ଠଭୂମି ଗ୍ରାଫିକ୍ସ ଜରିଆରେ ସମସ୍ତ ଜ୍ୟୋତିର୍ଲିଙ୍ଗ, ନବଗ୍ରହ, ରାଶି ଚକ୍ର, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ସମୟ ଦେଖିହେବ।
ବୈଦିକ ଘଣ୍ଟା ଟାୱାର ଉପରେ ଏକ ଟେଲିସ୍କୋପ ମଧ୍ୟ ସ୍ଥାପନ କରାଯିବ। ଯାହା ଦ୍ୱାରା ଲୋକେ ରାତି ସମୟର ଆକାଶରେ ଘଟୁଥିବା ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିପାରିବେ। ବୈଦିକ ସମୟ ଗଣନର ନୀତି ଉପରେ ବୈଦିକ ଘଣ୍ଟା ସ୍ଥିର କରାଯିବ। ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିଦିନ ହେଉଥିବା ସୂର୍ଯ୍ୟୋଦୟ ଏବଂ ସୂର୍ଯାସ୍ତ ଏହା ମାଧ୍ୟମରେ ଦେଖାଯାଇ ପାରିବ।
ବୈଦିକ ଘଣ୍ଟା ଆପ୍ଲିକେସନ ବିକ୍ରମ ପଞ୍ଚାଙ୍ଗ ସହ ରହିବ। ଯାହାକି ପ୍ରତି ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ, ବିକ୍ରମ ସମ୍ୱତ ମାସ, ଗ୍ରହ ସ୍ଥିତି, ଯୋଗ, ଭଦ୍ରା ସ୍ଥିତି, ଚନ୍ଦ୍ର ସ୍ଥିତି, ପର୍ବପର୍ବାଣୀ, ଶୁଭ ସମୟ, ନକ୍ଷତ୍ର, ଜନ୍ମ ବାର୍ଷିକୀ, ବ୍ରତ, ଉପବାସ, ସୂର୍ଯ୍ୟ ପରାଗ, ଚନ୍ଦ୍ରଗ୍ରହଣ, ପ୍ରମୁଖ ଛୁଟିଦିନ, ମହାକାଶର ଗ୍ରହ, ନକ୍ଷତ୍ର, ଧୂମକେତୁର ରହସ୍ୟ, ଯୋଗାଯୋଗ, ଘୂର୍ଣ୍ଣନ, କାଳ ଗ୍ରହଣ ଆଦି ଘଟଣାର ନିରୂପଣ, ତିଥିସ ବାର, ନକ୍ଷତ୍ର, ଯୋଗ, କରଣ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଭାରତୀୟ ବୈଦିକ ସମୟ ଗଣନା ସହିତ ପରିଚିତ କରାଇବା। ଏନେଇ ସ୍ଥାପନ କରାଯାଉଥିବା ବୈଦିକ ଘଣ୍ଟାର ବିଶେଷତ୍ୱ ହେଉଛି ଏହା ସମୟ ବୈଦିକ ଗଣନା ଉପରେ ଆଧାରିତ ହେବ। ଯେଉଁଥିରେ ଦିନର ୨୪ ଘଣ୍ଟା ମୁହୂର୍ତ୍ତରେ ବିଭକ୍ତ କରାଯାଇଛି। ଏହି ଘଣ୍ଟା ଦ୍ୱାରା ପୃଥିବୀର ବିଭିନ୍ନ ସ୍ଥାନରେ ସୂର୍ଯ୍ୟଙ୍କ ଅବସ୍ଥାନ ସହିତ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟ ସହିତ ସଂଯୋଗ କରାଯିବ।
