୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ, ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର
ଭୁବନେଶ୍ୱର: ସହରର ବସ୍ତିବାସିନ୍ଦାମାନଙ୍କ ପାଇଁ ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି । ସ୍ଥାନୀୟ କିଟ୍ କନ୍ଭେନ୍ସନ୍ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଗୁରୁବାର ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଂଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ । ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜିଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜମି ଅଧିକାର ସହିତ ବସ୍ତି ଅଂଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ୱରେ ସୁନାମ ପାଇଛି । ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି । ଏ ମିଶନର ଫୋକସ ହେଉଛି ଜନତା ପ୍ରଥମେ । ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଂଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ୱାଭିମାନ ବଢିଥାଏ । ଆମର ଏ ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ୱାସ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇ ରାଜ୍ୟର ସହରଗୁଡିକର ବିଶେଷ କରି ବସ୍ତି ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
