ଭାରତରେ ହେବ ଆଇବିଏ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା
ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଆଇବିଏ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଆୟୋଜନ ଅଧିକାର ଭାରତକୁ ମିଳିଛି। ନୂଆଦିଲ୍ଲୀଠା ରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି।
ଏହି ସମ୍ମିଳନୀରେ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ) ଏବଂ ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍ଆଇ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି। ବିଶ୍ବ ବିଜେତା ନିଖତ ଜାରିନ୍ଙ୍କ ଉପସ୍ଥିତିରେ ଆଇବିଏ ସଭାପତି ଉମର କ୍ରେମ୍ଲେଭ୍ ଓ ବିଏଫ୍ଆଇ ସଭାପତି ଅଜୟ ସିଂହଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରତିଯୋଗିତାର ଭାରତ ସଂସ୍କରଣରେ ପ୍ରଥମ କରି ବାଉଟ୍ ରିଭ୍ୟୁ ସିଷ୍ଟମ୍ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଶ୍ବ ମୁଷ୍ଟିଯୁଦ୍ଧର ମୋଟ ପୁରସ୍କାର ରାଶି ସାଢ଼େ ୧୯ କୋଟି ଟଙ୍କା ରଖାଯାଇଛି। ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ୮୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ।
ସୂଚନା ଯେ, ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାକୁ ଭାରତ ତୃତୀୟ ଥର ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ୨୦୦୬ ଓ ୨୦୧୮ରେ ଭାରତରେ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ଅନୁଷ୍ଠିତ ହୋଇଥିଲା। ଏହାବାଦ୍ ୨୦୧୭ରେ ବିଶ୍ବ ମହିଳା ଯୁବ ମୁଷ୍ଟିଯୁଦ୍ଧକୁ ଭାରତ ସଫଳତାର ସହ ଆୟୋଜନ କରିଥିଲା। ତୁର୍କୀରେ ଅନୁଷ୍ଠିତ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧର ଗତ ସଂସ୍କରଣରେ ଭାରତକୁ ୩୯ ପଦକ ମିଳିଥିଲା। ସେଥିମଧ୍ୟରେ ୧୦ ସ୍ବର୍ଣ୍ଣ ପଦକ ଅନ୍ତର୍ଭୁକ୍ତ। ୨୦୧୮ରେ ଭାରତ ଆୟୋଜକ ଥିବାବେଳେ ଭାରତୀୟ ମୁଷ୍ଟିଯୁଦ୍ଧାମାନେ ମାତ୍ର ୪ ପଦକ ଜିତିବାରେ ସକ୍ଷମ ହୋଇଥିଲେ।
