ଭାରତ ଫେରିବେ ଲୁଟେରା ନୀରବ ମୋଦୀ, ସବୁଜ ସଙ୍କେତ ଦେଲେ ଲଣ୍ଡନ ହାଇକୋର୍ଟ
ଲଣ୍ଡନ : ଭାରତ ଫେରିବେ ଲୁଟେରା ନୀରବ ମୋଦୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରୁ ପ୍ରାୟ ୧୪ ହଜାର କୋଟି ଠକି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତ ଅଣାଯିବ । ଏନେଇ ଲଣ୍ଡନ ହାଇକୋର୍ଟ ବୁଧବାର ସବୁଜ ସଙ୍କେତ ଦେଇଛନ୍ତି । ଭାରତ ପ୍ରତ୍ୟର୍ପଣ ବିରୋଧରେ ନିରବ ମୋଦୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ନୀରବ ମୋଦୀ ବ୍ରିଟେନ ହାଇକୋର୍ଟରେ ଆବେଦନ କରିଥିଲେ କି, ତାଙ୍କୁ ଭାରତ ଫଠାଇଦେବା ଉଚିତ ନୁହେଁ । ହେଲେ ଏହି ଆବେଦନ ଉପରେ ଶୁଣାଣି କରି ବ୍ରିଟେନ କୋର୍ଟ କହିଛନ୍ତି କି ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରିବା କୌଣସି ଦୃଷ୍ଟିକୋଣରୁ ଅନ୍ୟାୟ କିମ୍ବା ଦମନକାରୀ ନୁହେଁ । ସେହିପରି ଏହି କ୍ରମରେ ଭାରତ ସରକାର ଏଜେନ୍ସି ଓ ଆଇନଗତ ଭାବେ ବ୍ରିଟେନ କୋର୍ଟରେ ଆବେଦନ କରିଥିଲେ କି ନୀରବ ମୋଦୀ ଭାରତର ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଧୋକା ଦେଇଛନ୍ତି । ଏଣୁ ତାଙ୍କ ଉପରେ ଆଇନଗତ ଦଣ୍ଡବିଧାନ ପାଇଁ ତାଙ୍କୁ ଭାରତକୁ ଫେରାଇ ଦିଆଯିବା ଉଚିତ୍ ।
ସମ୍ପ୍ରତି ଦକ୍ଷିଣ-ପୂର୍ବ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ଥିବା ୫୧ ବର୍ଷୀୟ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଫେବୃଆରୀରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା। ସେହିପରି ନିରବଙ୍କ ନାଁରେ ଦୁଇଟି ମାମଲା ରହିଛି। ଗୋଟିଏ ହେଉଛି ପିଏନବିରୁ ୧୪ ହଜାର କୋଟି ଋଣ ଠକେଇ ଯାହା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ବାରା ଅନୁସନ୍ଧାନ କରାଯାଉଛି ଏବଂ ଅନ୍ୟଟି ସେହି ଜାଲିଆତିରୁ ପ୍ରାପ୍ତ କଳା ଟଙ୍କାକୁ ଧଳା କରିବା ସହିତ ଜଡିତ । ଇଡି ଦ୍ବିତୀୟ ମାମଲାର ତଦନ୍ତ ଜାରି ରଖିଛି । ଏହାଛଡ଼ା ତାଙ୍କ ବିରୋଧରେ ସାକ୍ଷୀମାନଙ୍କୁ ଗାଏବ କରିବା ଓ ଧମକାଇବା ଅଭିଯୋଗରେ ଆଉ ଦୁଇଟି ଅତିରିକ୍ତ ମାମଲା ବି ରୁଜୁ ହୋଇଛି ।
