କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଭାରତର ଲକ୍ଷ୍ୟ ସେନ
ନୂଆଦିଲ୍ଲୀ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଶଟଲର ଲକ୍ଷ୍ୟ ସେନ ନିଜ ବ୍ୟାଡମିଂଟନ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଂଚି ଯାଇଛନ୍ତି । ଆଜି ଜାରି ହୋଇଥିବା ବିଡବ୍ଲ୍ୟୁଏଫ ରାଙ୍କିଙ୍ଗ ତାଲିକାର ୬ଷ୍ଠ ସ୍ଥାନରେ ଲକ୍ଷ୍ୟ ସେନ ରହିଛନ୍ତି । ସେହିପରି ମହିଳା ବର୍ଗରେ ଭାରତର ପିଭି ସିନ୍ଧୁ ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ୱ ରାଙ୍କିଙ୍ଗର ୫ମ ସ୍ଥାନ ଦଖଲ କରିଛନ୍ତି ।
୨୦୨୨ ଲକ୍ଷ୍ୟ ସେନଙ୍କ ପାଇଁ ବେଶ ଚମତ୍କାର ରହିଛି । ସେ ଅଗଷ୍ଟ ମାସରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଥୋମାସ କପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳରେ ମଧ୍ୟ ଲକ୍ଷ୍ୟ ସେନ ରହିଥିଲେ । କ୍ରମାଗତ ସଫଳତା ଯୋଗୁ ବିଶ୍ୱ ବ୍ୟାଡମିଂଟନ ରାଙ୍କିଙ୍ଗରେ ତାଙ୍କୁ ଫାଇଦା ମିଳିଛି ।
ପ୍ରଥମଥର ପାଇଁ ଫ୍ରେଂଚ ଓପନରେ ଚାମ୍ପିୟନ ହୋଇଥିବା ଭାରତୀୟ ଯୋଡ଼ି ସାତ୍ୱିକ ସାଈରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମଧ୍ୟ ଡବଲ୍ସ ରାଙ୍କିଙ୍ଗରେ ଫାଇଦା ମିଳିଛି । ରାଙ୍କିଙ୍ଗର ୭ମ ସ୍ଥାନରେ ଏହି ଭାରତୀୟ ଯୋଡ଼ି ପହଂଚି ଯାଇଛନ୍ତି । ଏହା ସାତ୍ୱିକ ଓ ଚରାଗଙ୍କ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ । ସେହିପରି ଭାରତୀୟ ମହିଳା ଯୋଡ଼ି ତ୍ରିସା ଜଲ୍ଲୀ ଓ ଗାୟତ୍ରୀ ଗୋପିଚାନ୍ଦ ୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୨୩ତମ ସ୍ଥାନରେ ପହଂଚିଛନ୍ତି । ମିକ୍ସଡ ଡବଲ୍ସରେ ଭାରତ ଈଶାନ ଭଟନାଗର ଓ ତନିଶା କ୍ରାଷ୍ଟୋ ୨ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୮ତମ ସ୍ଥାନ ଦଖଲ କରିଛନ୍ତି ।
