ଗ୍ରହଣସତ୍ୱେ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ପୁରୀ : ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରାଜଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଗତ ରାତିରୁ ନୀତି ଆରମ୍ଭ ହୋଇ ତିନି ଠାକୁରଙ୍କ ବେଶ ଆରମ୍ଭ ହେବା ପରେ ରତ୍ନସିଂହାସନରେ ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜୀଉ । ହଜାର ହଜାର ହବିଷ୍ୟାଳି, ଦର୍ଶନାର୍ଥୀ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମନ୍ଦିରରେ କୌଣସି ବିଗ୍ରହଙ୍କୁ ସ୍ପର୍ଶ କରିବା ଓ ଦୀପ ସହ ଭୋଗ କରିବା ବାରଣ କରାଯାଇଥିଲା । ଗତ ରାତି ୧୨ଟା ୧୫ରୁ ଦ୍ୱାରଫିଟା ନୀତି ଆରମ୍ଭ ହୋଇ ରାତି ୧ଟାରେ ମଙ୍ଗଳଆଳତି ଓ ରାତି ୨ଟା ୫୦ରେ ସୁନାବେଶ ଆରମ୍ଭ ହୋଇଥିଲା । ଭୋର ୪ଟା ୧୦ରେ ସକାଳଧୂପ ଶେଷ ହୋଇ ୫ଟା ୧୦ରେ ବାଳଧୂପ ଶେଷ ହୋଇଥିଲା । ସୁନାବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ରତ୍ନ ଅଳଙ୍କାର,ପୁଷ୍ପ ଅଳଙ୍କାର ଓ ପାଟବସ୍ତ୍ରରେ ଠାକୁରମାନଙ୍କୁ ସୁନାବେଶ କରାଯାଇଥିଲା । ଶ୍ରୀଭୂଜଳ କୀରିଟ, ଶ୍ରୀପୟର,କର୍ଣ୍ଣ, ଚନ୍ଦ୍ର, ସୂର୍ଯ୍ୟ, ହଳ,ମୂଷଳ,ଚନ୍ଦ୍ରିକା, ଘାଗଡ଼ାମାଳି ଶ୍ରୀଜୀଉମାନେ ଧାରଣ କରିଥିଲେ । ଏହାସହ କଦମ୍ବ ମାଳି,ସେବତୀ ମାଳି,ରୂପା ଶଙ୍ଖ ଓ ତଡ଼ଗୀ ସହ ଅନ୍ୟ ଅଳଙ୍କାର ଲାଗି କରାଯାଇଥିଲା । ଏହି ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନ ମହାପୂଣ୍ୟ ଅର୍ଜନ କରିଛନ୍ତି ।
