ଦେୱାନପାଟଣା ଲକ୍ଷ୍ମୀନାରାୟଣ ମନ୍ଦିରର ନବନିର୍ମିତ ମୁଖଶାଳା ପ୍ରତିଷ୍ଠା
ବାଲେଶ୍ୱର : ବାଲେଶ୍ୱର ସହରର ଦେୱାନପାଟଣା ସ୍ଥିତ ବହୁ ପୂରାତନ ଲକ୍ଷ୍ମୀନାରାୟଣ ମନ୍ଦିରର ନବନର୍ମିତ ମୁଖଶାଳା ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ ହୋଇଯାଇଛି । ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୫ ଦିନ ବ୍ୟାପୀ ଯଜ୍ଞାଦିକର୍ମ ଅନୁଷ୍ଠାନ ଆୟୋଜନ କରାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା କର୍ମକାଣ୍ଡରେ ପ୍ରଥମ ଦିବସରେ ଅଧିବାସ ଓ ଦ୍ୱିତୀୟ ଦିବସରେ ଅଙ୍କୁରାରୋପଣ ପରେ ତୃତୀୟ ଦିବସରେ ଯଜ୍ଞକର୍ମ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗ୍ରାମର ମହିଳାମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଘଟ ସ୍ଥାପନ ପରେ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଘୃତଯଜ୍ଞ ଆରମ୍ଭ କରଯାଇଥିଲା ।
ଏହି ଅବସରରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ଅର୍ବାନ କୋ-ଅପରେଟିଭ୍ ସଭାପତି ସୂର୍ଯ୍ୟକାନ୍ତ କର, ବାଲେଶ୍ୱର ପୌରପରିଷଦ କାଉନସିଲର ପୂର୍ଣ୍ଣଚନ୍ଦ୍ର ନାୟକ, ମିତା ପଟ୍ଟନାୟକ ଓ ରୋଜାଲିନ ପାଣି, ଯୁବନେତା ଭାଗବତ ସାହୁ, ସୀମନ ଦାସ ମହାପାତ୍ର, ଅସୀତ ଦାସ, ଋତିକ୍ ଜୀ, ଇନ୍ତେଖାବ୍ ଅଲ୍ଲୀ ଖାଁ, ସିନ୍ଧିଆ ସରପଂଚ ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଲକ୍ଷ୍ମୀନାରାୟଣ ଭଗବାନଙ୍କୁ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ପୌରାଞ୍ଚଳରେ ଧର୍ମାନୁଷ୍ଠାନମାନଙ୍କ ନିମନ୍ତେ ସରକାରୀ ଯୋଜନା ମାଧ୍ୟମରେ ୪ଲକ୍ଷ ଟଙ୍କାର ଅନୁଦାନରେ ୧୨୫ବର୍ଷ ପୁରୁଣା ମନ୍ଦିରର ମୁଖଶାଳା ନିର୍ମାଣ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ପୌରପାଳିକା ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ । ୧୨୫ ବର୍ଷ ତଳେ ଦେୱାନପାଟଣାର ରାମ ମାଝୀ ଏହି ମନ୍ଦିର ପ୍ରତିଷ୍ଠା କରିଥିବା ବେଳେ ପରବର୍ତ୍ତୀ ସମୟରେ ମଧୁସୂଦନ ମାଝୀ ନୂତନ ବିଗ୍ରହ ପ୍ରତିଷ୍ଠା କରିଥିଲେ । ତେବେ ମନ୍ଦିରର ମୁଖଶାଳା ନିର୍ମାଣ ହୋଇ ନଥିବା ବେଳେ ପୂର୍ବତନ ସାଂସଦଙ୍କ ପ୍ରତିଶୃତି ଅନୁଯାୟୀ ସରକାରୀ ଅନୁଦାନ ମିଳିଥିବାରୁ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଥିଲେ । ୫ଦିନ ବ୍ୟାପୀ ହେଉଥିବା ଏହି ଉତ୍ସବରେ ଗୁରୁବାର ପ୍ରସାଦସେବନ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାକୁ ସେମାନେ ନିବେଦନ କରିଛନ୍ତି ।
