‘ପୁଞ୍ଜିବାଦ ନୁହେଁ ସମାଜବାଦ ହିଁ ଏକମାତ୍ର ବିକଳ୍ପ’ ଶୀର୍ଷକ ଆଲୋଚନା ସଭା
ବାଲେଶ୍ୱର : ଋଷ୍ ବିପ୍ଳବ ଦିବସ ପାଳନ ଅବସରରେ ‘ପୁଞ୍ଜିବାଦ ନୁହେଁ ସମାଜବାଦ ହିଁ ଏକମାତ୍ର ବିକଳ୍ପ’ ଶୀର୍ଷକ ଏକ ଆଲୋଚନା ସଭା ନୂଆବଜାରସ୍ଥିତ ପରିବହନ ମୋଟର କର୍ମଚାରୀ ସଂଘ ‘ଶ୍ରମିକ ଭବନ’ରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ସଭାପତିତ୍ୱ କରିଥିଲେ । ପ୍ରାଧ୍ୟାପକ ସୁରେନ୍ଦ୍ର ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏବଂ ‘ସାମ୍ୟବାଦୀ ପାଠଚକ୍ର’ର ଆବାହକ ଶିଶିର ହୁଇ ପ୍ରମୁଖ ବରେଣ୍ୟ ବକ୍ତା ଭାବେ ଏଥିରେ ଯୋଗଦେଇ ଋଷ ବିପ୍ଳବର ପୃଷ୍ଠଭୂମି ଓ ସାମ୍ୟବାଦର ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସାମ୍ପ୍ରତିକ ପୁଞ୍ଜିବାଦୀ ବ୍ୟବସ୍ଥାରେ ଦେଶରେ ଶ୍ରମିକଶ୍ରେଣୀ ଏବଂ ସାଧାରଣ ଜନତାଙ୍କର ଅପୂରଣୀୟ କ୍ଷତି ହୋଇ ଚାଲିଥିବା ବେଳେ ବେକାରୀ ସଂଖ୍ୟା ଆଶାତୀତ ବଢ଼ିଚାଲିଛି ବୋଲି ବକ୍ତାମାନେ କହିଥିଲେ । ଏଭଳି ସଂକଟ ସମୟରେ ପ୍ରତିକ୍ରିୟାଶୀଳ ଦକ୍ଷିଣପନ୍ଥୀ ବ୍ୟକ୍ତି ଓ ଶାସକଙ୍କ ସଂଖ୍ୟା ବିଶ୍ୱର ବିଭିନ୍ନ ଦେଶରେ ବୃଦ୍ଧି ପାଉଛି । ଅନ୍ୟପଟରେ ଶ୍ରମିକ-ଯୁବ-ଛାତ୍ରଙ୍କ ଆନ୍ଦୋଳନ ମଧ୍ୟ ବ୍ୟାପକ ହେବାରେ ଲାଗିଛି । ଆଜି ଆମ ଦେଶରେ ଫାସୀବାଦୀ, ସାଂପ୍ରଦାୟିକ ଶକ୍ତି ଯେଉଁଭଳି ସମସ୍ତ ବୈଜ୍ଞାନିକ ବିଚାରଧାରାକୁ ବିରୋଧ କରିବା ସହିତ ମରଣାନ୍ତକ ଆକ୍ରମଣ ଆରମ୍ଭ କରିଛନ୍ତି ଓ ଦେଶର ସାମ୍ବିଧାନିକ ଢାଞ୍ଚା ଉପରେ ଆକ୍ରମଣ କରିଚାଲିଛନ୍ତି ।ଏଭଳି ସ୍ଥିତିରେ ମାର୍କ୍ସବାଦ-ଲେନିନ୍ବାଦ ହିଁ ଏକମାତ୍ର ବିକଳ୍ପ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏଥିପାଇଁ ବାମପନ୍ଥୀ ଧର୍ମନିରପେକ୍ଷ – ଗଣତାନ୍ତ୍ରିକ ଶକ୍ତିର ମିଳିତ ବିକଳ୍ପ ସୃଷ୍ଟି କରିବା ଦିଗରେ ଅଗ୍ରସର ହେବାକୁ ଆଜିର ଆଲୋଚନା ସଭାରେ ବକ୍ତାମାନେ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ କୃଷକନେତା ପ୍ରେମରଞ୍ଜନ ପାତ୍ର ସୂଚନା ପ୍ରଦାନ କରିଥିବା ବେଳେ ରାଜକିଶୋର ଲେଙ୍କା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
