‘ପିଏକ୍ସଇ’ର ୧୨୮ ତମ ପ୍ରତିଷ୍ଠା ଉତ୍ସବ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗର ପ୍ରମାଣ ଏବଂ ପ୍ରାୟୋଗିକ ପ୍ରତିଷ୍ଠାନ ‘ପିଏକ୍ସଇ’ର ୧୨୮ ତମ ପ୍ରତିଷ୍ଠା ଉତ୍ସବ ଦିବସବ୍ୟାପୀ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଏନେଇ ସକାଳେ ଚାନ୍ଦିପୁର ସ୍ଥିତ ଡିଆରଡିଓ ପଡ଼ିଆରେ ପିଏକ୍ସଇ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କ ପରିବାରଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପିଏକ୍ସଇ ନିର୍ଦ୍ଦେଶକ ଡି କେ ଯୋଶୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗୋଳାବାରୁଦ ପରୀକ୍ଷଣ ଠାରୁ ଆରମ୍ଭ କରି ନୂତନ ଉଦ୍ଭାବିତ ଯନ୍ତ୍ରପାତିର ପ୍ରୟୋଗ ତଥା ପରୀକ୍ଷାରେ ଏହି ବିଭାଗ ୧୨୮ ବର୍ଷରେ ପଦାର୍ପଣ କରିବା ସହ ରାଷ୍ଟ୍ର ପାଇଁ ଗୌରବ ଆଣି ପାରିଛି ବୋଲି ସେ କହିଥିଲେ । ବିଶ୍ୱର ଅଦ୍ୱିତୀୟ ସମତଳ ବେଳାଭୂମି ଭାବେ ଚାନ୍ଦିପୁରକୁ ଚୟନ ସହ ତତ୍କାଳୀନ ବ୍ରିଟିଶ ସରକାର ଏଠାରେ ପିଏକ୍ସଇ ସ୍ଥାପନ କରିଥିଲେ । ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିବା ବେଳେ ଭାରତର ପ୍ରତିରକ୍ଷା ବିଭାଗ ପାଇଁ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇପାରିଛି । ତେବେ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ତଥା ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା ଅନୁଷ୍ଠାନକୁ ଶୀର୍ଷରେ ପହଞ୍ଚାଇ ପାରିଛି ବୋଲି ଶ୍ରୀ ଜୋଶୀ ପ୍ରକାଶ କରିଥିଲେ । ପ୍ରତିଷ୍ଠା ଦିବସ କେବଳ ଆନନ୍ଦ ବିଭୋର ପାଇଁ ନୁହେଁ ବର୍ଷକର ସଫଳତା ତଥା ଉତ୍କର୍ଷତାର ସମୀକ୍ଷା ପାଇଁ ଏହା ଉତ୍କୃଷ୍ଟ ସମୟ ବୋଲି ସେ କହିଥିଲେ ।
ବୈଜ୍ଞାନିକ ଡ. ହିମାଂଶୁ ଶେଖର ପଣ୍ଡା ଏଥିରେ ଯୋଗଦେଇ ପିଏକ୍ସଇକୁ ମିଳିଥିବା ଦୀର୍ଘଦିନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଆୟୋଜନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ସାମାଜିକ ଦାୟିତ୍ୱବୋଧତାର ନିଦର୍ଶନ ବୋଲି ସେ କହିଥିଲେ ।ଏହି ଅବସରରେ ପିଏକ୍ସଇ ପରିବାରର ଅଧିକାରୀ, କର୍ମଚାରୀ ଓ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର କୁମାର ସାହୁ, ବୀରେନ୍ଦ୍ର ସିଂହ ପ୍ରମୁଖଙ୍କୁ ‘ଲେବୋରେଟୋରୀ ସାଇନଟିଷ୍ଟ’ ଓ ‘ପ୍ରୁଫ ମ୍ୟାନ’ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ୨୫ବର୍ଷରୁ ଉର୍ଦ୍ଧ କାଳ ଧରି ସେବା କରି ଆସିଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । କର୍ଣ୍ଣେଲ ସୁମନ ଦତ୍ତ, ବୈଜ୍ଞାନିକ ଅର୍କଦେବ ବାନାର୍ଜୀ, ରତ୍ନାକର ସତୁଆମହାପାତ୍ର, ସନ୍ତୁ ଚର୍କବର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
