ଜି-୨୦ ସମ୍ମିଳନୀର ଲୋଗୋ, ଥିମ ଓ ୱେବସାଇଟ ଲଞ୍ଚ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ଜି-୨୦ ସମ୍ମିଳନୀର ଲୋଗୋ, ଥିମ ଓ ୱେବସାଇଟ ଲଞ୍ଚ କରିଛନ୍ତି । ଡିସେମ୍ବର ୧ ତାରିଖରେ ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଭାରତକୁ ଏପରି ଏକ ସୁଯୋଗ ମିଳିଥିବାରୁ ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତ ପାଇଁ ଏହା ଏକ ଐତିହାସିକ ଅବସର । ଜି-୨୦ ଏମିତି ଦେଶର ସମୂହ ଯାହାଙ୍କ ଆର୍ଥିକ ସାମର୍ଥ୍ୟ ବିଶ୍ୱର ୮୫ ପ୍ରତିଶତ ଜିଡିପିକୁ ପ୍ରତିନିଧିତ୍ୱ କରିଥାଏ । ଜି-୨୦ ସେହି ୨୦ ଦେଶର ସମୂହ ଯିଏ ବିଶ୍ୱର ୭୫ ପ୍ରତିଶତ ବ୍ୟାପାରର ପ୍ରତିନିଧିତ୍ୱ କରିଥାଏ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଜି-୨୦ ଇଣ୍ଡିଆର ଲୋଗୋ ‘ବସୁଧୈବ କୁଟୁମ୍ବକମର’ ପ୍ରତିନିଧିତ୍ୱ କରିଥାଏ । ଜି-୨୦ର ଏହି ଲୋଗୋ କେବଳ ଏକ ପ୍ରତିକ ନୁହେଁ । ଏହା ଏକ ବାର୍ତ୍ତା ଓ ଭାବନା ଯାହାକି ଆମ ରକ୍ତରେ ରହିଛି । ଏହା ଏକ ସଙ୍କଳ୍ପ ଯାହାକି ଆମ ଚିନ୍ତାଧାରାରେ ସାମିଲ ହୋଇଛି । ଏହି ଲୋଗୋ ଜରିଆରେ ଆମେ ଯୁଦ୍ଧ ଶେଷ କରିବାକୁ ମଧ୍ୟ ବାର୍ତ୍ତା ଦେଇଛୁ ।
