ଶ୍ରୀଜଗନ୍ନାଥ ଜୀଉ ବିଜେ ଶାସଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଶାସଙ୍ଗ ଗ୍ରାମରେ ପୂଜା ପାଇ ଆସୁଥିବା ଶ୍ରୀସୁଦର୍ଶନ, ବଡ଼ ଠାକୁର ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପୂରାତନ ବିଜେସ୍ଥଳୀ ଶ୍ରୀଜଗନ୍ନାଥ ଜୀଉ ବିଜେ ଶାସଙ୍ଗରେ ରାସ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ର ଗ୍ରହଣ ଥିବାରୁ ସୋମବାର ମଧ୍ୟ ରାତ୍ରିରୁ ସେବକ ମାନେ ମନ୍ଦିରରେ ଧୁଆ ପୋଛା ଆରମ୍ଭ କରିଥିଲେ । ରାତି ୨ଟା ୩୦ ମିନିଟରେ ଦ୍ୱାର ଫିଟା ନୀତି ହୋଇ ୩ ଟାରେ ମହାପ୍ରଭୁ ମାନଙ୍କ ମଙ୍ଗଳ ଆଳତି ହୋଇଥିଲା । ଏହାପରେ ସୂର୍ଯ୍ୟ ପୁଜା, ଦ୍ୱାରପାଳ ପୁଜା, ଅବକାଶ, ତଡ଼ପ ଲାଗି, ମଇଲମ, ଶୁଖିଲି ଭୋଗ, (ସୌଚ, ଦାନ୍ତ ଘସା, ସ୍ନାନ, ବସ୍ତ୍ର ପରିଧାନ, ବେଶ ,ଜଳଖିଆ) ଆଦି ନୀତି ହେବା ପରେ ପ୍ରଥମେ ଏକ ବତୀ, କାଠି ତିନି ବତୀ, ଫୁଲ ତିନି ବତୀ, ପାଞ୍ଚ ବତୀ, ସାତ ବତୀ, କାଠି ଚାଉଳ ଆଳତି ପାଞ୍ଚ ବତୀ ଓ ଏଗାର ବତୀ ସମାପନ ହେବା ପରେ ଭୋର୍ ୪ଟା ୨୦ ମିନିଟରେ ୧୦୮ପୂର୍ଣ୍ଣ ଆଳତି ସମାପନ ହୋଇଥିଲା । ୪ଟା ୩୦ମିନିଟରେ ଦିତୀୟ ଜଳଖିଆ ବହ୍ଲବ ଖେଚିତି ସମାପନ ହୋଇ ଥିଲା । ଭୋର ୫ଟା ୫୩ ମିନିଟ୍ରେ ହାଣ୍ଡିଛାଡ଼ ଥିଲା । ଏହାକୁ ଦୃଷ୍ଟିରେ ରଖି ଦ୍ୱିପ୍ରହର ଧୂପ ଅର୍ଣ୍ଣ ଭୋଗ ୫ଟା ୧୦ରେ ଲାଗି ହୋଇ ଦେଶ ଲାଗି ହୋଇ ଥିଲା । ଏହାପରେ ଗ୍ରହଣ ବେଶ (ଗ୍ରହଣ ଛୁତକ ବେଶ)କରାଯାଇ ଦିନ ମାନର ଅନ୍ୟ ନୀତି ବନ୍ଦ କରାଯାଇଥିଲା । ବିଶେଷ ଭାବେ ସାହାଣ ମେଲା ନୀତି ଗ୍ରହଣ ପାଇଁ ବନ୍ଦ କରା ଯାଇଥିବାରୁ ଭକ୍ତ ମାନଙ୍କ ମନରେ ନିରାଶା ଦୁଃଖ ଅନୁଭବ ହେଉଥିଲା । ମଧ୍ୟାହ୍ନ ୨ଟା ୩୦ ମିନିଟ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଗ୍ରହଣ ଲାଗିଥିବା ସମୟରେ ସ୍ୱତନ୍ତ୍ର ଗ୍ରହଣ ନୀତି ହେବା ପରେ ୬ଟା ୧୭ ମିନିଟ ପରେ ମନ୍ଦିରରେ ସ୍ୱାଭାବିକ ବାକି ନୀତି କରାଯାଇଥିଲା ।
